ୱାଶିଂଟନ୍: ଆମେରିକାର ମୋଣ୍ଟାନା ରାଜ୍ୟରେ ଏକ ଅଭାବନୀୟ ଜାତିଗତ ବିଦ୍ୱେଷ ସାମ୍ନାକୁ ଆସିଛି। ଜଣେ ଭାରତୀୟ ବଂଶୋଦ୍ଭବ ଯୁବକଙ୍କୁ ଧକ୍କା ମାରିବା ସହ ‘ନିଜ ଦେଶକୁ ଫେରିଯାଅ’ ବୋଲି କହି ଜାତିଗତ ଆକ୍ଷେପ କରିଥିବା ୨୧ ବର୍ଷୀୟ ଯୁବକ ଜାକ୍ସଟନ୍ ଟେଟ୍ କୋଲିନ୍ସଙ୍କ ବିରୋଧରେ ପୋଲିସ ସଙ୍ଗୀନ ଅପରାଧ ମାମଲା ରୁଜୁ କରିଛି। ଗଣମାଧ୍ୟମର ସୂଚନା ଅନୁଯାୟୀ, ଅଭିଯୁକ୍ତଙ୍କୁ ମୋଣ୍ଟାନାର ଲୁଇସ୍ ଏବଂ କ୍ଲାର୍କ କାଉଣ୍ଟି ଜିଲ୍ଲା ଅଦାଲତରେ ହାଜର କରାଯାଇଛି।

କୋର୍ଟରେ ଦାଖଲ ଆଫିଡେଭିଟ୍ ଅନୁଯାୟୀ, ସୂଚନାଦାତା ନିଜ ସାଙ୍ଗମାନଙ୍କ ସହ ହେଲେନା ସହରର ଡାଉନଟାଉନ୍‌ରେ ଚାଲି ଚାଲି ଯାଉଥିଲେ। ଏହି ସମୟରେ କମଳା ରଙ୍ଗର ସାର୍ଟ ଓ ବଡ଼ କ୍ରସ୍ ଚେନ୍ ପିନ୍ଧିଥିବା କୋଲିନ୍ସ ତାଙ୍କ ସାଙ୍ଗଙ୍କ ନିକଟକୁ ଆସିଥିଲେ, ଯିଏ ଭାରତୀୟ ବଂଶୋଦ୍ଭବ ଥିଲେ ଏବଂ ମୁଣ୍ଡରେ ଧାର୍ମିକ ପୋଷାକ ପିନ୍ଧିଥିଲେ।

କୋଲିନ୍ସ ହଠାତ୍ ସେହି ଭାରତୀୟ ଯୁବକଙ୍କୁ ଦୁଇ ହାତରେ ଜୋରସେ ଧକ୍କା ମାରିବା ସହ ନିଜ ଦେଶକୁ ପଳାଇବାକୁ ଚିତ୍କାର କରିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ପ୍ରତ୍ୟକ୍ଷଦର୍ଶୀମାନେ ଏହାକୁ ଏକ ଭୟଙ୍କର ଆକ୍ରମଣ ବୋଲି ବର୍ଣ୍ଣନା କରିଛନ୍ତି।

ଖବର ପାଇ ପୋଲିସ ପହଞ୍ଚିବା ପରେ ନିକଟସ୍ଥ ଏକ ସ୍ଥାନରୁ କୋଲିନ୍ସଙ୍କୁ ଆଟକ କରିଥିଲା। ମଦ୍ୟପାନ କରିବା ପରେ ରାଗିଯାଇ ସେ ଭାରତୀୟ ଯୁବକଙ୍କ ଉପରେ ଚିତ୍କାର କରିଥିବା ସ୍ୱୀକାର କରିଛନ୍ତି, ତେବେ ଧକ୍କା ମାରିବା ଅଭିଯୋଗକୁ ସେ ଅସ୍ୱୀକାର କରିଛନ୍ତି।

ମୋଣ୍ଟାନା ଆଇନ ଅନୁଯାୟୀ (ସେକ୍ସନ୍ ୪୫-୫-୨୨୧), ଜାତି, ଧର୍ମ, ବର୍ଣ୍ଣ କିମ୍ବା ଜାତୀୟତା ଆଧାରରେ କାହାକୁ ଭୟଭୀତ କରାଇବା, ନିର୍ଯାତନା ଦେବା କିମ୍ବା ଆକ୍ରମଣ କରିବା ଏକ ଗୁରୁତର ଅପରାଧ। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ସର୍ବାଧିକ ୫ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ କିମ୍ବା ୫,୦୦୦ ଡଲାର ପର୍ଯ୍ୟନ୍ତ ଜୋରିମାନା କିମ୍ବା ଉଭୟ ଦଣ୍ଡ ଭୋଗିବାକୁ ପଡ଼ିପାରେ।

ସୂଚନାଯୋଗ୍ୟ ଯେ, ମୋଣ୍ଟାନାରେ ଭାରତୀୟ ସମ୍ପ୍ରଦାୟର ଲୋକସଂଖ୍ୟା କମ୍ ଥିବା ବେଳେ ସାରା ଆମେରିକାରେ ଆଞ୍ଚଳିକ ଓ ଜାତିଗତ ବିଦ୍ୱେଷପୂର୍ଣ୍ଣ ଆକ୍ରମଣ ବୃଦ୍ଧି ପାଉଥିବାରୁ ଏହା ଚିନ୍ତାର ବିଷୟ ପାଲଟିଛି।