ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଏକ ନୂଆ ପାଣିପାଗ ପ୍ରଣାଳୀ ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ଥାଇଲାଣ୍ଡ ଉପସାଗର ଏବଂ ଥାଇଲାଣ୍ଡ-ମିଆଁମାର ସଂଲଗ୍ନ ଅଞ୍ଚଳରେ ଥିବା ଉପରି ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ଅକ୍ଟୋବର ୨୧ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ପହଞ୍ଚିଛି। ଏହାର ପ୍ରଭାବରେ ଅକ୍ଟୋବର ୨୩ ତାରିଖ ପାଖାପାଖି ଦକ୍ଷିଣ-ପୂର୍ବ ଏବଂ ସଂଲଗ୍ନ ପୂର୍ବ-ମଧ୍ୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ଆକଳନ କରିଛି।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଘୂର୍ଣ୍ଣିବଳୟଟି ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଏହା ପରେ ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ର ଉତ୍ତରପଶ୍ଚିମ ଦିଗକୁ ଗତି କରି ଅଧିକ ଘନୀଭୂତ ହୋଇପାରେ।
ଏହି ପାଣିପାଗ ପ୍ରଣାଳୀର ଗତିପଥ ଓ ତୀବ୍ରତା ଉପରେ ପାଣିପାଗ ବିଜ୍ଞାନୀମାନେ ନଜର ରଖିଛନ୍ତି। ତେବେ ବର୍ତ୍ତମାନର ଆକଳନ ଆଧାରରେ ଏହା ଘୂର୍ଣ୍ଣିଝଡ଼ର ରୂପ ନେବ ବୋଲି ନିଶ୍ଚିତ କରାଯାଇନାହିଁ। ଓଡ଼ିଶାର କେଉଁ ଅଞ୍ଚଳରେ କେତେ ବର୍ଷା ହେବ କିମ୍ବା ଏହାର ସମ୍ଭାବ୍ୟ ପ୍ରଭାବ କ’ଣ ରହିବ, ସେନେଇ ପରବର୍ତ୍ତୀ ପାଣିପାଗ ବୁଲେଟିନ୍ରୁ ଅଧିକ ସ୍ପଷ୍ଟତା ମିଳିବ।




