ନୂଆଦିଲ୍ଲୀ/ସମ୍ବଲପୁର: ଓଡ଼ିଶାର ଶିକ୍ଷା, ଆଇଟି ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଦୁଇଟି ପୃଥକ ପତ୍ର ଲେଖିଛନ୍ତି। ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ C-DACର ଏକ ଆଞ୍ଚଳିକ କେନ୍ଦ୍ର ପ୍ରତିଷ୍ଠା ସହ ସମ୍ବଲପୁରସ୍ଥିତ STPI କେନ୍ଦ୍ରର ସମ୍ପ୍ରସାରଣ ପାଇଁ ସେ ଅନୁରୋଧ କରିଛନ୍ତି।
ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ପତ୍ରରେ କହିଛନ୍ତି ଯେ, C-DAC ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ପ୍ରମୁଖ ଗବେଷଣା ଓ ବିକାଶ ସଂସ୍ଥା। ‘ପରମ’ ସୁପର କମ୍ପ୍ୟୁଟର, ଭାରତୀୟ ଭାଷା କମ୍ପ୍ୟୁଟିଂ, ସାଇବର ସୁରକ୍ଷା, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ହାଇ-ପରଫରମାନ୍ସ କମ୍ପ୍ୟୁଟିଂ କ୍ଷେତ୍ରରେ ଏହା ଗୁରୁତ୍ୱପୂର୍ଣ୍ଣ କାମ କରୁଛି।
ସମ୍ବଲପୁରରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ, IIM ସମ୍ବଲପୁର, VSSUT ବୁର୍ଲା, VIMSAR, ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଓ OUATର ଚିପିଲିମା କ୍ୟାମ୍ପସ ଭଳି ଉଚ୍ଚଶିକ୍ଷାନୁଷ୍ଠାନ ଥିବାରୁ ଏଠାରେ C-DAC କେନ୍ଦ୍ର ପ୍ରତିଷ୍ଠା ହେଲେ ଗବେଷଣା ଓ ନବସୃଜନକୁ ନୂଆ ଗତି ମିଳିବ ବୋଲି ସେ ଦର୍ଶାଇଛନ୍ତି।
ବିଶେଷକରି C-DACର ହାଇ-ପରଫରମାନ୍ସ କମ୍ପ୍ୟୁଟିଂ ସୁବିଧା ଜିଏମ୍ୟୁର କମ୍ପ୍ୟୁଟର ସାଇନ୍ସ ଓ MCA ବିଭାଗ ସହ ଯୋଡ଼ିହେଲେ ଡାଟା ଆନାଲିଟିକ୍ସ, କ୍ଲାଉଡ୍ ଇନ୍ଫ୍ରାଷ୍ଟ୍ରକ୍ଚର ଓ AI କ୍ଷେତ୍ରରେ ଗବେଷଣା ବୃଦ୍ଧି ପାଇବ। ଏହା ସହିତ AI, ସାଇବର ସୁରକ୍ଷା, ଭାରତୀୟ ଭାଷା ପ୍ରଯୁକ୍ତି ଓ ଡିଜିଟାଲ ସମାଧାନ କ୍ଷେତ୍ରରେ ଶିକ୍ଷାନୁଷ୍ଠାନ, ଷ୍ଟାର୍ଟଅପ୍, ଶିଳ୍ପ ଓ ସରକାରୀ ସଂସ୍ଥା ମଧ୍ୟରେ ସହଯୋଗ ବଢ଼ିବ ବୋଲି ସେ କହିଛନ୍ତି।
ସେହିପରି ଅନ୍ୟ ଏକ ପତ୍ରରେ ସମ୍ବଲପୁର STPI କେନ୍ଦ୍ରର ସମ୍ପ୍ରସାରଣ କରି ଏହାକୁ ଭବିଷ୍ୟତମୁଖୀ IT, ESDM ଓ ଇନୋଭେସନ ହବ୍ରେ ପରିଣତ କରିବାକୁ ଧର୍ମେନ୍ଦ୍ର ଅନୁରୋଧ କରିଛନ୍ତି। ସମ୍ବଲପୁର ଓ ଏହାର ଆଖପାଖ ଅଞ୍ଚଳରେ IT, ESDM, ସେମିକଣ୍ଡକ୍ଟର ଡିଜାଇନ ଓ ଡିଜିଟାଲ ଭିତ୍ତିଭୂମି କ୍ଷେତ୍ରରେ ବିପୁଳ ସମ୍ଭାବନା ରହିଥିବା ସେ ଉଲ୍ଲେଖ କରିଛନ୍ତି।
STPIର ସମ୍ପ୍ରସାରଣ ଦ୍ୱାରା IT, ଷ୍ଟାର୍ଟଅପ୍, AI, ସେମିକଣ୍ଡକ୍ଟର ଡିଜାଇନ ଓ ଡିଜିଟାଲ ସେବା କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି ହେବ। ଏହା ଟେକ୍ନୋଲୋଜି ସଂସ୍ଥା, ଷ୍ଟାର୍ଟଅପ୍, ଇନକ୍ୟୁବେସନ, ଦକ୍ଷତା ବିକାଶ ଓ ଇନୋଭେସନକୁ ପ୍ରୋତ୍ସାହନ ଦେବା ସହ ରାଜ୍ୟର ଯୁବବର୍ଗଙ୍କ ପାଇଁ ଉଚ୍ଚମାନର ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି।
ସମ୍ବଲପୁରରେ C-DAC କେନ୍ଦ୍ର ପ୍ରତିଷ୍ଠା ଓ STPIର ଆଧୁନିକୀକରଣ ହେଲେ ପଶ୍ଚିମ ଓଡ଼ିଶା ସମେତ ସମଗ୍ର ରାଜ୍ୟର ଡିଜିଟାଲ ଓ ପ୍ରଯୁକ୍ତି ଇକୋସିଷ୍ଟମ ଅଧିକ ମଜବୁତ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।




