ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଥିବା ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଏବଂ ସରକାରୀ ଅପାର୍ଗତାକୁ ନେଇ ରାଜ୍ୟର ବିଜେପି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜୁ ଜନତା ଦଳ ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଭୁବନେଶ୍ୱରଠାରେ ଅନୁଷ୍ଠିତ ବିଜେଡିର ଜନସଂପର୍କ ପଦଯାତ୍ରାରେ ଯୋଗଦେଇ ସେ ଅଭିଯୋଗ କରିଛନ୍ତି ଯେ, ସରକାରଙ୍କ ଭୁଲ୍ ନୀତି ଯୋଗୁଁ ସମାଜର ପ୍ରତିବର୍ଗର ଲୋକେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ଏବଂ ଆଜିର ଯୁବପିଢ଼ି ବା ‘ଜେନ୍-ଜି’ (Gen Z) ର ଭବିଷ୍ୟତ ସମ୍ପୂର୍ଣ୍ଣ ଅନ୍ଧାରମୟ ହୋଇପଡ଼ିଛି।
ବିଜେଡି ସଭାପତି କହିଛନ୍ତି ଯେ, ଯେତେବେଳେ ବିଜେଡିର ଏକମାତ୍ର ଏଜେଣ୍ଡା ଓଡ଼ିଶାର ବିକାଶ ଥିଲା, ବର୍ତ୍ତମାନର ‘ଡବଲ-ଇଞ୍ଜିନ’ ସରକାରର ମୁଖ୍ୟ ଉଦ୍ଦେଶ୍ୟ କେବଳ ନିଜ ଦଳର ବିକାଶ କରିବା ପାଲଟିଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ସରକାରକୁ ଟାର୍ଗେଟ୍ କରି ପାଞ୍ଚ ଥରର ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଚାଷୀ, ମହିଳା, ବରିଷ୍ଠ ନାଗରିକ, ଗରୀବ ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକେ ଆଜି ଏହି ସରକାରରେ ସବୁଠାରୁ ଅଧିକ ପ୍ରଭାବିତ ଓ ପୀଡ଼ିତ ହେଉଛନ୍ତି।
ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ଆକାଶଛୁଆଁ ହୋଇଥିଲେ ମଧ୍ୟ ସାଧାରଣ ଜନତାଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ସମସ୍ୟା ପ୍ରତି ରାଜ୍ୟ ସରକାର ସମ୍ପୂର୍ଣ୍ଣ ଉଦାସୀନ ରହିଛନ୍ତି ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି। ଅପାର୍ଗତା ଓ ଅକ୍ଷମତା ମାମଲାରେ ଏହି ସରକାର ସମଗ୍ର ଦେଶରେ ନମ୍ବର ୱାନ ହୋଇଛି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ନବୀନ ପଟ୍ଟନାୟକ ଦଳୀୟ କର୍ମୀମାନଙ୍କୁ ଜନସାଧାରଣଙ୍କ ସୁଖଦୁଃଖରେ ସାମିଲ ହେବାକୁ ଏବଂ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ତଥା ଅସଲି ଚେହେରାକୁ ଲୋକଙ୍କ ସାମ୍ନାକୁ ଆଣିବା ପାଇଁ ଆହ୍ୱାନ ଦେଇଛନ୍ତି।
ଗାନ୍ଧୀ ଜୟନ୍ତୀ ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇଥିବା ଏହି ମାସବ୍ୟାପୀ ଜନସଂପର୍କ ପଦଯାତ୍ରା ଆସନ୍ତା ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଦଳ ପକ୍ଷରୁ ସ୍କୁଲ ପାଠ୍ୟପୁସ୍ତକରେ ଭୁଲ୍, ଭୋଟର ତାଲିକାରୁ ନାମ ବାଦ୍ ଏବଂ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ମଧ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରାଯାଉଛି।




