ଭଦ୍ରକ: ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ପ୍ରମୁଖ ବଳିଦାନର ସ୍ମାରକ ‘ରକ୍ତତୀର୍ଥ ଇରମ୍‌’ର ସାମଗ୍ରିକ ବିକାଶ ପାଇଁ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି। ‘ଭାରତର ଦ୍ୱିତୀୟ ଜଲିଆନାୱାଲା ବାଗ୍‌’ ଭାବେ ପରିଚିତ ଇରମ୍‌କୁ ଏକ ପ୍ରମୁଖ ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବା ଉପରେ ପର୍ଯ୍ୟଟନ ବିଭାଗ ଗୁରୁତ୍ୱ ଦେଇଛି।

ଇରମ୍‌ର ବିକାଶ ପାଇଁ ପ୍ରସ୍ତାବିତ କାର୍ଯ୍ୟଗୁଡ଼ିକର ସମ୍ଭାବ୍ୟତା ଯାଞ୍ଚ କରିବା ସହ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍‌) ଏବଂ ଆବଶ୍ୟକ ଆର୍ଥିକ ଆକଳନ ପ୍ରସ୍ତୁତ କରି ପଠାଇବାକୁ ଭଦ୍ରକ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।

ଦାବି ପରେ ତତ୍ପର ହେଲା ପ୍ରଶାସନ

ବାସୁଦେବପୁର ଅଞ୍ଚଳର ସାମାଜିକକର୍ମୀ ପ୍ରଶାନ୍ତ କୁମାର ନାୟକ ଇରମ୍‌ର ସାମଗ୍ରିକ ବିକାଶ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଏବଂ ରାଷ୍ଟ୍ରପତିଙ୍କ ନିକଟରେ ପତ୍ର ଦେଇଥିଲେ। ଏହା ପରେ ଇରମ୍‌ର ବିକାଶକୁ ନେଇ ସରକାରୀ ସ୍ତରରେ ତତ୍ପରତା ବଢ଼ିଛି।

ପର୍ଯ୍ୟଟନ ବିଭାଗର ଅନୁଶାସନ ସଚିବ କାହ୍ନୁ ଚରଣ ଦାସ ଭଦ୍ରକ ଜିଲ୍ଲାପାଳଙ୍କୁ ପତ୍ର ଲେଖି ଇରମ୍‌ର ବିକାଶ ସମ୍ପର୍କିତ ପ୍ରସ୍ତାବଗୁଡ଼ିକୁ ପର୍ଯ୍ୟଟନ ଦୃଷ୍ଟିକୋଣରୁ ଯାଞ୍ଚ କରିବାକୁ କହିଛନ୍ତି। ପ୍ରସ୍ତାବଗୁଡ଼ିକ ସମ୍ଭବପର ହେଲେ ଡିପିଆର୍‌ ସହ ଆର୍ଥିକ ଆକଳନ ପ୍ରସ୍ତୁତ କରି ତୁରନ୍ତ ପର୍ଯ୍ୟଟନ ବିଭାଗକୁ ପଠାଇବାକୁ ଜିଲ୍ଲାପାଳ ଓ ଜିଲ୍ଲା ପର୍ଯ୍ୟଟନ ଅଧିକାରୀଙ୍କୁ କୁହାଯାଇଛି।

ରହିଛି ଏକାଧିକ ବିକାଶ ପ୍ରସ୍ତାବ

ଇରମ୍‌କୁ ଜାତୀୟ କିମ୍ବା ରାଜ୍ୟ ଐତିହ୍ୟସ୍ଥଳୀର ମାନ୍ୟତା ଦେବା ପାଇଁ ସାମାଜିକକର୍ମୀ ପ୍ରଶାନ୍ତଙ୍କ ପକ୍ଷରୁ ଦାବି କରାଯାଇଛି। ଏଥିସହ ସ୍ୱାଧୀନତା ସଂଗ୍ରାମରେ ସହିଦ ହୋଇଥିବା ୨୯ ଜଣଙ୍କ ପ୍ରତିମୂର୍ତ୍ତି, ୫୬ ଜଣ ଆହତ ସଂଗ୍ରାମୀଙ୍କ ସ୍ମୃତିରେ ପ୍ରତୀକାତ୍ମକ ପ୍ରତିମୂର୍ତ୍ତି, ସ୍ମୃତିସ୍ତମ୍ଭ, ଆଧୁନିକ ସଂଗ୍ରହାଳୟ ଓ ପୁସ୍ତକାଗାର ନିର୍ମାଣର ପ୍ରସ୍ତାବ ରହିଛି।

ସେହିପରି ଜାତୀୟ ରାଜପଥରୁ ଇରମ୍‌କୁ ସଂଯୋଗ କରୁଥିବା ରାସ୍ତାର ପ୍ରଶସ୍ତୀକରଣ ଓ ଆଲୋକୀକରଣ, ପ୍ରବେଶପଥରେ ସ୍ମାରକୀ ତୋରଣ ନିର୍ମାଣ, ଐତିହାସିକ ନାନା ପୋଖରୀର ସୌନ୍ଦର୍ଯ୍ୟକରଣ ଏବଂ ମା’ ବଜ୍ରମହାକାଳୀ ମନ୍ଦିରର ବିକାଶ ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି।

ପର୍ଯ୍ୟଟକଙ୍କୁ ଇରମ୍‌ର ଐତିହାସିକ ଗୁରୁତ୍ୱ ସମ୍ପର୍କରେ ଜଣାଇବା ସହ ସେମାନଙ୍କ ସୁବିଧା ପାଇଁ ବହୁଭାଷୀ ସୂଚନା ଫଳକ ସ୍ଥାପନ କରିବାର ଯୋଜନା ମଧ୍ୟ ରହିଛି। ଡିପିଆର୍‌ ପ୍ରସ୍ତୁତ ହେବା ପରେ ପ୍ରସ୍ତାବିତ ବିକାଶ କାର୍ଯ୍ୟଗୁଡ଼ିକର ବାସ୍ତବ ରୂପାୟଣ ନେଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ।