ଭୁବନେଶ୍ୱର: ଗାନ୍ଧୀ ଜୟନ୍ତୀ ଅବସରରେ ଓଡ଼ିଶାରେ ଆରମ୍ଭ ହୋଇଥିବା ବିଭିନ୍ନ ଦଳର ଜନସମ୍ପର୍କ କାର୍ଯ୍ୟକ୍ରମକୁ ନେଇ ରାଜନୈତିକ ମାହୋଲ ସରଗରମ ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (PCC) ସଭାପତି ଭକ୍ତଚରଣ ଦାସ ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟ ର ପଦଯାତ୍ରାକୁ ନେଇ ତୀବ୍ର ନିନ୍ଦା କରିଛନ୍ତି।

ବିଜେଡିର ବାର୍ଷିକ ଜନସମ୍ପର୍କ ପଦଯାତ୍ରାକୁ ଟାର୍ଗେଟ କରି ଭକ୍ତଚରଣ ଦାସ ପ୍ରଶ୍ନ ଉଠାଇଛନ୍ତି ଯେ, ବିଜେଡି ଯଦି ପ୍ରକୃତରେ ଲୋକଙ୍କ ସମସ୍ୟା ପାଇଁ ରାସ୍ତାକୁ ଓହ୍ଲାଇଛି ଏବଂ ବିଜେପି ସରକାର ବିରୋଧରେ ଲଢ଼େଇ କରୁଛି, ତେବେ ଏହି ସରକାର ଏବେ ବି କାହିଁକି ତିଷ୍ଠି ରହିଛି?

ପିସିସି ସଭାପତିଙ୍କ କହିବା ମୁତାବକ ଦୀର୍ଘ ୨୪ ବର୍ଷ ଧରି ରାଜ୍ୟରେ କ୍ଷମତାରେ ଥିବା ବିଜେଡି ଏବେ ହଠାତ୍ ଲୋକଙ୍କ ପାଇଁ ରାସ୍ତାକୁ ଓହ୍ଲାଇବା ନେଇ ସନ୍ଦେହ ସୃଷ୍ଟି ହେଉଛି। ବିଜେଡି ଚାହିଁଥିଲେ ବିଧାନସଭା ଭିତରେ ଓ ବାହାରେ ଅଧିକ ଜୋରଦାର ଭାବେ ସରକାର ବିରୋଧରେ ସ୍ୱର ଉଠାଇପାରିଥାନ୍ତା। ବିରୋଧକୁ କେବଳ ପଦଯାତ୍ରାରେ ସୀମିତ ନରଖି ଆହୁରି ତୀବ୍ର କରିବା ଆବଶ୍ୟକ।

ବିଜେପି ପକ୍ଷରୁ ଆୟୋଜିତ ପଦଯାତ୍ରାକୁ ସମାଲୋଚନା କରି ଭକ୍ତଚରଣ କହିଛନ୍ତି ଯେ, ବିଜେପି ଗାନ୍ଧୀଜୀଙ୍କ ନାଁ ନେଇ ପଦଯାତ୍ରା କରୁଥିଲେ ବି ସତ୍ୟାଗ୍ରହ ଏବଂ ଗାନ୍ଧୀଙ୍କ ଆଦର୍ଶ ସହ କେବଳ କଂଗ୍ରେସର ଐତିହାସିକ ସମ୍ପର୍କ ରହିଛି।

ସେ ସ୍ପଷ୍ଟ କରିଛନ୍ତି ଯେ, ବିଜେପି କିମ୍ବା ବିଜେଡିର ଏହି ପଦଯାତ୍ରାର କୌଣସି ପ୍ରଭାବ କଂଗ୍ରେସ ଉପରେ ପଡ଼ିବ ନାହିଁ। ଆଗାମୀ ଦିନରେ କଂଗ୍ରେସ ନିଜର ସ୍ୱତନ୍ତ୍ର ରାଜନୈତିକ କାର୍ଯ୍ୟକ୍ରମ ଏବଂ ଜନସମ୍ପର୍କ ଅଭିଯାନକୁ ଆହୁରି ବ୍ୟାପକ କରିବ।