ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ବଡପୁଟି ଗାଁରୁ ଏକ ଚାଞ୍ଚଲ୍ୟକର ଠକେଇର ଖବର ସାମ୍ନାକୁ ଆସିଛି। ଜଣେ କିଆ ଅତର ବ୍ୟବସାୟୀଙ୍କୁ କୋଲ୍ଡଡ୍ରିଙ୍କ୍ସରେ ନିଶା ଦେଇ ପ୍ରାୟ ୨ କୋଟି ଟଙ୍କାର କିଆ ଅତର ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁଯାୟୀ, ବଡପୁଟି ଗାଁର ଜି.ସୁନୀଲ ନିଜ ଭାଟିରେ ଦୀର୍ଘ ମାସ ଧରି କିଆ ଫୁଲରୁ ସଂଗୃହିତ ଅତର ସଂରକ୍ଷିତ କରି ରଖିଥିଲେ। କିଛି ଦିନ ପୂର୍ବରୁ ଅତର କିଣିବା ବାହାନାରେ ଜଣେ ଯୁବକ ତାଙ୍କୁ ଫୋନ କରି ଭୁବନେଶ୍ୱର ଡାକିଥିଲେ। ସୁନୀଲ ପ୍ରାୟ ୨୪ ଲିଟର ୫୦୦ ମିଲିଗ୍ରାମ୍ କିଆ ଅତର ନେଇ ଭୁବନେଶ୍ୱରର ଏକ ହୋଟେଲକୁ ଯାଇଥିଲେ। ସେଠାରେ ଦୁର୍ବୃତ୍ତମାନେ ତାଙ୍କୁ ନିଶା ମିଶ୍ରିତ କୋଲ୍ଡ ଡ୍ରିଙ୍କସ୍‌ ପିଆଇ ଦେଇଥିଲେ ଏବଂ ଅତରର ନମୁନା ଦେଖାଇବା ବାହାନାରେ ଅନ୍ୟ ରୁମ୍‌କୁ ନେଇଯାଇଥିଲେ। ପରେ ଅତର ବୋତଲକୁ ସିଲ୍ କରି ସୁନୀଲଙ୍କୁ ଫେରାଇ ଦେଇଥିଲେ। ଗାଁକୁ ଫେରି ଅନ୍ୟ ଜଣେ ବ୍ୟବସାୟୀଙ୍କୁ ଏହା ଦେଖାଇବା ପରେ, ପ୍ରକୃତ ଅତର ବଦଳରେ ସେଥିରେ କେମିକାଲ ମିଶା ପାଣି ଥିବା ଜଣାପଡ଼ିଥିଲା।

ଏହି ବଡ଼ଧରଣର ଠକେଇ ଯୋଗୁଁ ସ୍ଥାନୀୟ କିଆ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଚାଷୀମାନେ ଲକ୍ଷ ଲକ୍ଷ ଟଙ୍କାର କିଆ ଫୁଲ ସୁନୀଲଙ୍କ ଭାଟିକୁ ଦେଇଥିଲେ, ହେଲେ ଏବେ ବ୍ୟବସାୟୀ ଜଣକ ଠକେଇର ଶିକାର ହେବା ପରେ ଚାଷୀଙ୍କ ପାଉଣା ମିଳିବା ଅନିଶ୍ଚିତ ହୋଇପଡ଼ିଛି। ଚତୁର ଠକମାନେ କେବେ ଗିରଫ ହେଉଛନ୍ତି ଏବଂ ଚାଷୀଙ୍କୁ କେବେ ନ୍ୟାୟ ମିଳୁଛି, ତାହା ଦେଖିବାକୁ ବାକି ରହିଲା।

ବ୍ୟବସାୟୀ ସୁନୀଲ ଏନେଇ ଥାନାର ଦ୍ୱାରସ୍ତ ହୋଇଛନ୍ତି। ଚମାଖଣ୍ଡି ଥାନା ପୁଲିସ ଅଭିଯୋଗ ଗ୍ରହଣ କରି ଭୁବନେଶ୍ୱର ପୁଲିସ ସହାୟତାରେ ଘଟଣାର ତଦନ୍ତ ଜାରି ରଖିଛି।