ଭୁବନେଶ୍ୱର: ଓଡ଼ିଶାରେ ଜାରି ରହିଥିବା ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ଏପ୍ରିଲ ୨୭ ତାରିଖରୁ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ସ୍କୁଲଗୁଡ଼ିକ ବନ୍ଦ ରହିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଆଧାର କରି ଏହି ଘୋଷଣା କରାଯାଇଛି। ସମସ୍ତ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ପାଠପଢ଼ା ବନ୍ଦ ରହିବ।ପୂର୍ବରୁ ସ୍ଥିର ହୋଇଥିବା ପରୀକ୍ଷାଗୁଡ଼ିକ ଯଥାବିଧି ଚାଲୁ ରହିବ।ଜନଗଣନା ସମ୍ବନ୍ଧୀୟ କାର୍ଯ୍ୟ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ଅଫିସ କାର୍ଯ୍ୟ ସ୍ୱାଭାବିକ ଭାବେ ଜାରି ରହିବ।

ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ କିଛି ସହରରେ ଏହା ୪୪-୪୫ ଡିଗ୍ରୀ ଛୁଇଁଛି। ଏଭଳି ପରିସ୍ଥିତିରେ ଛୋଟ ପିଲାମାନଙ୍କ ସ୍ୱାସ୍ଥ୍ୟକୁ ନେଇ ଅଭିଭାବକ ଓ ଶିକ୍ଷକମାନେ ଚିନ୍ତାରେ ଥିଲେ। ସରକାରଙ୍କ ଏହି ଆଗୁଆ ପଦକ୍ଷେପ ଛାତ୍ରଛାତ୍ରୀମାନଙ୍କୁ ପ୍ରଚଣ୍ଡ ଖରା ଓ ଲୁ (Heatwave) ଦାଉରୁ ରକ୍ଷା କରିବାରେ ସହାୟକ ହେବ।

ସତର୍କତା ସୂଚନା: ଭୀଷଣ ଗରମକୁ ଦୃଷ୍ଟିରେ ରଖି ନାଗରିକମାନଙ୍କୁ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଘରୁ ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ପ୍ରଚୁର ପରିମାଣରେ ପାଣି ପିଇ ଶରୀରକୁ ସୁସ୍ଥ ରଖିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।