ଭୁବନେଶ୍ୱର: ବାଲିଅନ୍ତା ଅଞ୍ଚଳର ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ମୃତ୍ୟୁ ମାମଲାରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବରିଷ୍ଠ ଆଇପିଏସ ଅଫିସର ଦୟାଲ ଗଙ୍ଗୱାରଙ୍କ ନାଁ ଏହି ମାମଲା ସହ ଯୋଡ଼ି ହେବା ପରେ ଗତ ସୋମବାର ଦିନ ତାଙ୍କୁ ତୁରନ୍ତ ବଦଳି କରାଯାଇଛି । ତାଙ୍କୁ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତ କରାଯାଇଥିବା ନେଇ ସରକାରୀ ସୂତ୍ରରୁ ପ୍ରକାଶ ପାଇଛି ।ଭୁବନେଶ୍ୱର ଉପକଣ୍ଠରେ ଘଟିଥିବା ଏକ କଥିତ ଗଣପିଟା ଘଟଣାରେ ଗୁରୁତର ଆହତ ହୋଇ ସୌମ୍ୟରଞ୍ଜନ ପ୍ରାଣ ହରାଇଥିଲେ । ଏହି ସମୟରେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଥିବା ବେଳେ ଏହି ବଦଳି ନିର୍ଦ୍ଦେଶ ଆସିଛି ।

ଗତ ମେ ୭ ତାରିଖରେ ଭୁବନେଶ୍ୱର ଉପକଣ୍ଠ ଭିଙ୍ଗାରପୁର-କାଜା ଅଞ୍ଚଳରେ ଦୁଇଜଣ ମହିଳା ସୌମ୍ୟରଞ୍ଜନ ଏବଂ ଅନ୍ୟ ଜଣେ ଯୁବକଙ୍କ ବିରୋଧରେ ଦୁର୍ବ୍ୟବହାରର ଅଭିଯୋଗ ଆଣିଥିଲେ । ଏହାପରେ ସ୍ଥାନୀୟ ଲୋକେ ଉଭୟଙ୍କୁ ସର୍ବସାଧାରଣରେ ନିର୍ଧୁମ ପିଟିଥିଲେ । ଏହି ଆକ୍ରମଣରେ ସୌମ୍ୟରଞ୍ଜନ ଗୁରୁତର ଆହତ ହୋଇ ପରବର୍ତ୍ତୀ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ।

ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକେ ଆଇପିଏସ ଅଫିସର ଦୟାଲ ଗଙ୍ଗୱାରଙ୍କ ବିରୋଧରେ ଗୁରୁତର ମାନସିକ ଓ ଶାରୀରିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ସୌମ୍ୟରଞ୍ଜନ, ଗଙ୍ଗୱାରଙ୍କ ଅଧୀନରେ କାର୍ଯ୍ୟ କରୁଥିଲେ ।

ସୌମ୍ୟଙ୍କ ବାପା ଅଭିଯୋଗ କରିଛନ୍ତି ଯେ, ତାଙ୍କ ପୁଅକୁ ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ପ୍ରାୟ ଦୁଇ ଘଣ୍ଟା ଧରି ଆଇପିଏସ ଅଫିସରଙ୍କୁ ମସାଜ୍ (ତେଲ ମାଲିସ) କରିବାକୁ ବାଧ୍ୟ କରାଯାଉଥିଲା । କେବଳ ସେତିକି ନୁହେଁ, ଗଙ୍ଗୱାରଙ୍କ ପୁଅକୁ ମଧ୍ୟ ମସାଜ୍ କରିବାକୁ କୁହାଯାଉଥିଲା । ଏହା ସହିତ ୧୨,୦୦୦ ଟଙ୍କାର ପ୍ରୋଟିନ ସପ୍ଲିମେଣ୍ଟ କିଣିବାକୁ ମଧ୍ୟ ସୌମ୍ୟଙ୍କୁ ବାଧ୍ୟ କରାଯାଇଥିଲା ।

ମୃତ କନଷ୍ଟେବଳଙ୍କ ମାଆ କବିତା ସ୍ୱାଇଁ କହିଛନ୍ତି ଯେ, ଗତ ଦୁଇ ବର୍ଷ ହେବ ପୁଅ ଉପରେ ଏହି ନିର୍ଯାତନା ଚାଲିଥିଲା । ଅଫିସର ଜଣକ ବିନା ପଇସାରେ ସୌମ୍ୟଙ୍କ ଠାରୁ ପ୍ରୋଟିନ ପାଉଡର ନେଉଥିଲେ । କ୍ରମାଗତ ଭାବେ ମସାଜ୍ କରିବା ଯୋଗୁଁ ସୌମ୍ୟଙ୍କ ହାତ ମଧ୍ୟ ଫୁଲି ଯାଇଥିଲା । ନ୍ୟାୟ ପାଇବା ନେଇ ଆଶଙ୍କା ପ୍ରକାଶ କରି ସେ କହିଛନ୍ତି, “ମୁଁ ଜଣେ ଗରିବ ମହିଳା, ଏହି ଲଢ଼େଇ ଲଢ଼ିବା ପାଇଁ ମୋ ପାଖରେ ସୀମିତ ସମ୍ବଳ ରହିଛି ।”

ଏହି ସମ୍ପୂର୍ଣ୍ଣ ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଓଡ଼ିଶା ରାଜ୍ୟ ମହିଳା କମିଶନ (OSCW) ମଧ୍ୟ ନିଜ ଆଡ଼ୁ ଏକ ସ୍ୱତନ୍ତ୍ର ତଦନ୍ତ ଆରମ୍ଭ କରିଛନ୍ତି । ଗୋଟେ ପଟେ କ୍ରାଇମବ୍ରାଞ୍ଚ ଗଣପିଟା ଏବଂ ହତ୍ୟା ମାମଲାର ଖୋଳତାଡ଼ କରୁଥିବା ବେଳେ, ଅନ୍ୟପଟେ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଆସିଥିବା ଏହି ଅଭିଯୋଗ ପୋଲିସ ବିଭାଗରେ ଚହଳ ସୃଷ୍ଟି କରିଛି ।