ଭୁବନେଶ୍ୱର: ‘ନିଶା ମୁକ୍ତ ଭାରତ ଅଭିଯାନ’ ଅଧୀନରେ ଖୋର୍ଦ୍ଧା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଖୋର୍ଦ୍ଧା ଜିଲ୍ଲା ପୋଲିସ ଏକ ଆନ୍ତଃରାଜ୍ୟ କୋଡିନ୍ କଫ୍ ସିରପ୍ ଚୋରାଚାଲାଣ ରାକେଟ୍‌ର ପର୍ଦ୍ଦାଫାଶ କରିବା ସହ ଏହାର ମୁଖ୍ୟ ମାଷ୍ଟରମାଇଣ୍ଡ ସମେତ ୧୦ ଜଣଙ୍କୁ ଗିରଫ କରିଛି। ଶନିବାର (ଅକ୍ଟୋବର ୧୮) ଭୋର ପ୍ରାୟ ୪:୫୦ ମିନିଟ୍‌ରେ ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ନୂଆଗାଁ ନିକଟସ୍ଥ ଖୋର୍ଦ୍ଧା-ନୟାଗଡ଼ ନୂଆ ବାଇପାସ୍ ରାସ୍ତାରୁ ସମୁଦାୟ ୫,୫୨୦ ବୋତଲ WIN CEREX କଫ୍ ସିରପ୍ (ପ୍ରାୟ ୫୫୨ ଲିଟର) ଜବତ କରାଯାଇଛି।

ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ବିହାରର ବାସିନ୍ଦା ଗୋପୀନାଥ ଯାଦବ ଓରଫ ଗୋପୀ ଯାଦବ (୩୦) ରହିଛି, ଯାହାକୁ ଓଡ଼ିଶାକୁ କଫ୍ ସିରପ୍ ଯୋଗାଉଥିବା ସବୁଠାରୁ ବଡ଼ ସରବରାହକାରୀ ଏବଂ ମୁଖ୍ୟ କିଂପିନ୍ ବୋଲି ପୋଲିସ କହିଛି। ସେ କୋଲକାତା, ହରିୟାଣା ଏବଂ ଦିଲ୍ଲୀରୁ ଏହି ବେଆଇନ କଫ୍ ସିରପ୍ ଆଣି ପରିବହନକାରୀ, ଷ୍ଟକିଷ୍ଟ ଏବଂ ସ୍ଥାନୀୟ ବିକ୍ରେତାଙ୍କ ମାଧ୍ୟମରେ ସାରା ଓଡ଼ିଶାରେ ବିକ୍ରି କରୁଥିଲା।

କଟକରୁ ଖୋର୍ଦ୍ଧା ଏବଂ ନୟାଗଡ଼ ଆଡ଼କୁ ଏକ ବଡ଼ ଧରଣର ନିଶା ସିରପ୍ କନ୍‌ସାଇନ୍‌ମେଣ୍ଟ ଯାଉଥିବା ନେଇ ଶିଳ୍ପାଞ୍ଚଳ ଥାନା ଆଇଆଇସିଙ୍କୁ ଗୁପ୍ତ ସୂଚନା ମିଳିଥିଲା। ଖୋର୍ଦ୍ଧା ଏସପି ପରମାର ସ୍ମିତ୍ ପାର୍ଷୋତ୍ତମଦାସଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ସ୍ୱାଗତିକା ଦାସଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ନୂଆଗାଁ ନିକଟରେ ଗାଡ଼ିଗୁଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ। ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ NDPS ଆଇନ ଅନୁଯାୟୀ ଏହି ବିପୁଳ ପରିମାଣର କଫ୍ ସିରପ୍ ଜବତ କରାଯାଇଥିଲା।

ଏହି ଘଟଣାରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା କେସ୍ ନଂ ୩୩୭/୨୦୨୬ ରେ NDPS ଆକ୍ଟର ଧାରା ୨୧(c)/୨୯ ଅଧୀନରେ ମାମଲା ରୁଜୁ କରାଯାଇଛି। ଏସଆଇ ଅଶୋକ କୁମାର ମହାନ୍ତି ଏହି ଘଟଣାର ତଦନ୍ତ କରୁଛନ୍ତି।

ଚଢ଼ାଉ ସମୟରେ ଯୋଗାଣକାରୀଙ୍କ ମ୍ୟାନେଜରଙ୍କ ସମେତ ଅନ୍ୟ ଦୁଇଜଣ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହେବାରେ ସଫଳ ହୋଇଛନ୍ତି। ସେମାନଙ୍କୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି।

ଏହି କାରବାର ପଛରେ ଥିବା ଆନ୍ତଃରାଜ୍ୟ ନେଟୱାର୍କ, ମୁଖ୍ୟ ଗୋଦାମ, ବ୍ୟାଙ୍କ କାରବାର ଏବଂ ନିଶା ବ୍ୟବସାୟରୁ ଅର୍ଜିତ ସମ୍ପତ୍ତିର ସନ୍ଧାନ ନେବା ପାଇଁ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।