ଭୁବନେଶ୍ୱର: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ମହାନଦୀ ଜଳ ବିବାଦର ସମାଧାନ ପାଇଁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତା ଅକ୍ଟୋବର ୧ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ।

ଓଡ଼ିଶାର ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ ସୋମବାର ଏହି ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ବୈଠକରେ ମହାନଦୀ ଜଳ ବଣ୍ଟନକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ଆଲୋଚନାକୁ ଆଗକୁ ନିଆଯିବ। ଦୁଇ ରାଜ୍ୟର ସହମତିରେ ଏକ ଗ୍ରହଣୀୟ ସମାଧାନର ବାଟ ବାହାରିବ ବୋଲି ସେ ଆଶାପ୍ରକାଶ କରିଛନ୍ତି।

ଆଡଭୋକେଟ୍ ଜେନେରାଲ୍ ଆଚାର୍ଯ୍ୟ ଜଣାଇଛନ୍ତି ଯେ, କେନ୍ଦ୍ରୀୟ ଜଳ ଆୟୋଗ (CWC) ର ସଚିବ ନିର୍ଦ୍ଦେଶ ଅନୁଯାୟୀ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ନିକଟରେ ପୂର୍ବରୁ ହୋଇଥିବା ଦୁଇଟି ପର୍ଯ୍ୟାୟ ଆଲୋଚନାର ବିସ୍ତୃତ ତଥ୍ୟ ଦାଖଲ କରିଛନ୍ତି। ଟ୍ରିବ୍ୟୁନାଲ ଏହି ତଥ୍ୟକୁ ରେକର୍ଡଭୁକ୍ତ କରିଛନ୍ତି।

“କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହେବ। ଆପୋସ ଆଲୋଚନା ଏବଂ ବୁଝାମଣା ମାଧ୍ୟମରେ ଏହି ଜଟିଳ ବିବାଦର ସମାଧାନ ପାଇଁ ଏକ ଆଶାଜନକ ବାଟ ଫିଟୁଛି,” ବୋଲି ଆଚାର୍ଯ୍ୟ ପ୍ରକାଶ କରିଛନ୍ତି।

ସେ ଆହୁରି ମଧ୍ୟ ଦୋହରାଇଛନ୍ତି ଯେ, କେବଳ ଆଲୋଚନା ଏବଂ ସହମତି ମାଧ୍ୟମରେ ଏହି ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ, ଯାହା ଓଡ଼ିଶାର ପୂର୍ବରୁ ରହିଆସିଥିବା ସ୍ପଷ୍ଟ ଆଭିମୁଖ୍ୟ।

ଏହି ବୈଠକ ପୂର୍ବରୁ ଗତ ସେପ୍ଟେମ୍ବର ୨୦ ତାରିଖରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ଭୁବନେଶ୍ୱର ଗସ୍ତ କରି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଆଲୋଚନା କରିଥିଲେ।

ସେହି ବୈଠକ ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମହାନଦୀ ଜଳକୁ ନେଇ ଦୁଇ ରାଜ୍ୟ ମଧ୍ୟରେ କୌଣସି ବଡ଼ ପ୍ରତିବନ୍ଧକ ନାହିଁ ଏବଂ ଶୀଘ୍ର ଏହାର ସମାଧାନ ହୋଇଯିବ।

ସୂଚନାଯୋଗ୍ୟ ଯେ, ମହାନଦୀ ଜଳ ବିବାଦ ସଂକ୍ରାନ୍ତ ମାମଲା ବର୍ତ୍ତମାନ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ନିକଟରେ ବିଚାରାଧୀନ ରହିଛି। ଆସନ୍ତା ଅକ୍ଟୋବର ୧ର ବୈଠକ ପରେ ଏହି ମାମଲାରେ ଏକ ବଡ଼ ସକାରାତ୍ମକ ମୋଡ଼ ଆସିବ ବୋଲି ଆଶା କରାଯାଉଛି।