ବାରିପଦା:ମୟୂରଭଞ୍ଜ ଜିଲ୍ଲାରେ ଦୀର୍ଘ ଦିନର ଅବିଶ୍ରାନ୍ତ ଲଗାଣ ବର୍ଷା ସାଜିଛି କାଳ। ବର୍ଷା ଜଳରେ ଭିଜି ଦୁର୍ବଳ ହୋଇପଡ଼ିଥିବା ମାଟି ଘରର କାନ୍ଥ ଭୁଶୁଡ଼ି ପଡ଼ିବାରୁ ଜଣେ ମହିଳାଙ୍କ ଘଟଣାସ୍ଥଳରେ ହିଁ କରୁଣ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣାଟି ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ଜାଲଦା ପଞ୍ଚାୟତର ପୁନାସିଆ ଗ୍ରାମରେ ଘଟିଛି। ମୃତ ମହିଳାଜଣକ ସେହି ଗ୍ରାମର ଚୁନୁ ନାଏକ ବୋଲି ଚିହ୍ନଟ ହୋଇଛନ୍ତି।

ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ଅଞ୍ଚଳରେ ଲଗାତାର ବର୍ଷା ଯୋଗୁଁ ଚୁନୁଙ୍କ ମାଟି ଘରର କାନ୍ଥଗୁଡ଼ିକ ସମ୍ପୂର୍ଣ୍ଣ ଭିଜି ଦୁର୍ବଳ ହୋଇପଡ଼ିଥିଲା। ଶୁକ୍ରବାର ସେ ଘର ଭିତରେ ଥିବା ସମୟରେ ହଠାତ୍‌ ଏକ ମାଟି କାନ୍ଥ ତାଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା। ଫଳରେ ସେ ଆବର୍ଜନା ଓ ମାଟି ତଳେ ଚାପି ହୋଇଯାଇଥିଲେ।

ବିକଟାଳ ଶବ୍ଦ ଶୁଣି ପରିବାର ଲୋକ ଓ ପଡ଼ୋଶୀମାନେ ତୁରନ୍ତ ଘଟଣାସ୍ଥଳକୁ ଦୌଡ଼ି ଆସି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ମାତ୍ର ମାଟି ତଳୁ ତାଙ୍କୁ ବାହାର କରିବା ବେଳକୁ ଅତ୍ୟାଧିକ ଆଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଏହି ଘଟଣା ପରେ ପୁନାସିଆ ଏବଂ ଆଖପାଖ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ଘଟଣା ସମ୍ପର୍କରେ ଖବର ପାଇ ଝାରପୋଖରିଆ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହ ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

ଅପରପକ୍ଷରେ, ମୃତକଙ୍କ ଅସହାୟ ପରିବାରକୁ ତୁରନ୍ତ ସରକାରୀ ଆର୍ଥିକ ସହାୟତା ଏବଂ ସରକାରୀ ନିୟମାନୁସାରେ ସମ୍ପୂର୍ଣ୍ଣ କ୍ଷତିପୂରଣ ଯୋଗାଇ ଦେବାକୁ ଗ୍ରାମବାସୀ ଓ ସ୍ଥାନୀୟ ଲୋକେ ପ୍ରଶାସନ ନିକଟରେ ଦୃଢ଼ ଦାବି କରିଛନ୍ତି।