ମୟୂରଭଞ୍ଜ: ଓଡ଼ିଶାରେ ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗସ୍ତ କରିଛନ୍ତି। ଏହି ଅବସରରେ ରାଜ୍ୟରେ “ବିକାଶ ର ଧାରା, ଓଡ଼ିଶା ସାରା” କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ମେଗା ଇଭେଣ୍ଟରେ ପ୍ରଧାନମନ୍ତ୍ରୀ ଓଡ଼ିଶା ପାଇଁ ୪୭,୬୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି।
କାର୍ଯ୍ୟକ୍ରମ ପୂର୍ବରୁ ଦୁଇ ନେତା ରାଷ୍ଟ୍ରପତିଙ୍କ ଶ୍ୱଶୁର ଘର ଗ୍ରାମ ପାହାଡ଼ପୁର ପରିଦର୍ଶନ କରିଥିଲେ। ସେଠାରେ ସେମାନେ ସାନ୍ତାଳୀ ଜାହେରା ଓ ହୋ ଜାହେରା ପବିତ୍ର ବନ, ସ୍କିଲ୍ ସେଣ୍ଟର ଏବଂ ବିଦ୍ୟାଳୟ ପରିଦର୍ଶନ କରି ପ୍ରାର୍ଥନା କରିଥିଲେ।୬୦୦ ମେଗାୱାଟର ଅପର ଇନ୍ଦ୍ରାବତୀ ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପ ଏବଂ ଇବ୍ ଥର୍ମାଲ୍ ପାୱାର ଷ୍ଟେସନର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି।
କଟକ-ଭୁବନେଶ୍ୱରକୁ ସିଧାସଳଖ ଯୋଡ଼ୁଥିବା କାଠଯୋଡ଼ି ନଦୀ ଉପରେ ସେତୁ ନିର୍ମାଣର ଶିଳାନ୍ୟାସ ସହ ବୌଦ୍ଧଠାରେ ୩୦୦ ଶଯ୍ୟା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଉଦଘାଟନ ହୋଇଛି। ଏହାଛଡ଼ା ୨୪ଟି ଅଟଳ ବସ୍ ଷ୍ଟାଣ୍ଡର ମଧ୍ୟ ଲୋକାର୍ପଣ କରାଯାଇଛି।
ଏହି ଗସ୍ତରେ ରାଜ୍ୟର ଗ୍ରାମାଞ୍ଚଳ ଏବଂ ଜନଜାତି ଅଞ୍ଚଳର ଆର୍ଥିକ ଓ ସାମାଜିକ ବିକାଶ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ସମଗ୍ର ରାଇରଙ୍ଗପୁରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।




