ଭୁବନେଶ୍ୱର: ଭାରତରେ ଚାଲିଥିବା ପ୍ରତିଯୋଗିତାମୂଳକ ପରୀକ୍ଷା (NEET-UG) ପ୍ରଶ୍ନପତ୍ର ଲିକ୍‌ ଏବଂ ଦୁର୍ନୀତି ଅଭିଯୋଗକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏହି ଗୁରୁତର ପ୍ରସଙ୍ଗରେ ଆଗାମୀ ସଂସଦ ଅଧିବେଶନରେ ବିସ୍ତୃତ ଆଲୋଚନା କରିବା ସହ ଦେଶର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଆଣିବାକୁ ସେ ଦାବି କରିଛନ୍ତି।

ନବୀନ ସୋସିଆଲ ମିଡିଆ ଏକ୍ସ (X)ରେ ଏକ ପୋଷ୍ଟ କରି ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦେଶର କୋଟି କୋଟି ପିଲାଙ୍କ ପାଇଁ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବାର ଏକମାତ୍ର ମାଧ୍ୟମ ହେଉଛି ଶିକ୍ଷା। ଏକ ସ୍ୱଚ୍ଛ ଓ ବିଶ୍ୱାସଯୋଗ୍ୟ ପରୀକ୍ଷା ପ୍ରକ୍ରିୟା ଉପରେ ହିଁ ଦେଶର ଭବିଷ୍ୟତ ନିର୍ଭର କରେ। ମାତ୍ର ବର୍ତ୍ତମାନର ପ୍ରଶ୍ନପତ୍ର ଲିକ୍‌ ଘଟଣା ଶିକ୍ଷା ବ୍ୟବସ୍ଥା ଉପରୁ ଛାତ୍ରଛାତ୍ରୀଙ୍କ ଭରସା ଭାଙ୍ଗି ଦେଇଛି। ଏହା କେବଳ ପରୀକ୍ଷା ବିଫଳତା ନୁହେଁ, ବରଂ ମେଧାବୀ ଛାତ୍ରଛାତ୍ରୀଙ୍କ ପରିଶ୍ରମ ଓ ସେମାନଙ୍କ ଗରିବୀ ହଟାଇବାର ମାଧ୍ୟମକୁ ସରକାର ଛଡ଼ାଇ ନେଇଛନ୍ତି। ଯେଉଁ ଦେଶ ପରୀକ୍ଷାର ସ୍ୱଚ୍ଛତା ରକ୍ଷା କରିପାରେ ନାହିଁ, ସେ ନିଜ ଭବିଷ୍ୟତ ସହ ବୁଝାମଣା କରେ ବୋଲି ସେ କହିଛନ୍ତି।

ରାଜନୀତିରୁ ଊର୍ଦ୍ଧ୍ୱକୁ ଉଠି ଆଲୋଚନା କରିବାକୁ ଆହ୍ୱାନ ଗଣତନ୍ତ୍ରର ପବିତ୍ର ମନ୍ଦିର ସଂସଦରେ ଏହି ପ୍ରସଙ୍ଗକୁ ସର୍ବାଧିକ ପ୍ରାଥମିକତା ଦିଆଯାଉ। ଏକ ଦୃଢ଼ ଶିକ୍ଷା ସଂସ୍କାର ଆଣି ପ୍ରଶ୍ନପତ୍ର ଲିକ୍‌ ଓ ବ୍ୟବସ୍ଥାର ବିଫଳତା ପାଇଁ ଦାୟିତ୍ୱ ନିର୍ଦ୍ଧାରଣ କରାଯାଉ ବୋଲି ନବୀନ ଦାବି କରିଛନ୍ତି। ରାଜନୀତିରୁ ଊର୍ଦ୍ଧ୍ୱକୁ ଉଠି ଦିନ ଦିନ ଧରି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀଙ୍କ ସହ ସରକାର ସିଧାସଳଖ ଆଲୋଚନା କରନ୍ତୁ। ନୀରବତା ନୁହେଁ, ବରଂ ସଂଳାପ ମାଧ୍ୟମରେ ହିଁ ଗଣତନ୍ତ୍ର ଆଗକୁ ବଢ଼େ।

ବର୍ତ୍ତମାନ ଦେଶର ଯୁବପିଢ଼ି ନେତୃତ୍ୱକୁ ଚାହିଁ ରହିଛନ୍ତି ଏବଂ ବିଜେଡି ସବୁବେଳେ ଦେଶର ଯୁବ ଓ ଛାତ୍ରସମାଜ ସହ ଦୃଢ଼ ଭାବେ ଛିଡ଼ା ହୋଇଛି ବୋଲି ନବୀନ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି।