ନୂଆଦିଲ୍ଲୀ: ନିଟ୍-ୟୁଜି ୨୦୨୬ ପରୀକ୍ଷାକୁ ବାତିଲ କରାଯାଇବା ପରେ ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ମନରେ ଥିବା ଅନିଶ୍ଚିତତାର ଅବସାନ ଘଟିଛି। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ପକ୍ଷରୁ ନିଟ୍-ୟୁଜି ପୁନଃପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା କରାଯାଇଛି। ଆସନ୍ତା ଜୁନ୍ ୨୧ ତାରିଖରେ ସାରା ଦେଶର ୪୨୫୦ଟି କେନ୍ଦ୍ରରେ ପୁନଃପରୀକ୍ଷା ଅନୁଷ୍ଠିତ ହେବ।
ଉଲ୍ଲେଖଯୋଗ୍ୟ ଯେ, ମେ ୩ ତାରିଖରେ ହୋଇଥିବା ନିଟ୍-ୟୁଜି ପରୀକ୍ଷାରେ ୨୩ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଯୋଗଦେଇଥିଲେ। କିନ୍ତୁ ବିଭିନ୍ନ ଅନିୟମିତତା ଅଭିଯୋଗ ପରେ ପରୀକ୍ଷାକୁ ବାତିଲ କରାଯାଇଥିଲା। ଏହାପରେ ପୁନଃପରୀକ୍ଷା ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଚର୍ଚ୍ଚା ଜାରି ରହିଥିଲା।
ଏନ୍ଟିଏ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ପୁନଃପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ପୁଣିଥରେ ପଞ୍ଜୀକରଣ କରିବାକୁ ପଡ଼ିବ ନାହିଁ। ସେପରି ଅତିରିକ୍ତ ପଞ୍ଜୀକରଣ ଶୁଳ୍କ ମଧ୍ୟ ଦେବାକୁ ପଡ଼ିବ ନାହିଁ। ପ୍ରବେଶ ପତ୍ର ଜାରି ସମ୍ପର୍କିତ ସୂଚନା ଆଗାମୀ କିଛି ଦିନ ମଧ୍ୟରେ ଘୋଷଣା କରାଯିବ।
ପରୀକ୍ଷାର୍ଥୀମାନେ ଏନ୍ଟିଏର ଆଧିକାରିକ ୱେବସାଇଟ୍ରେ ପ୍ରବେଶ କରି ନିଜର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ। ପୁନଃପରୀକ୍ଷାକୁ ନେଇ ଏନ୍ଟିଏ ପକ୍ଷରୁ ସମସ୍ତ ପ୍ରସ୍ତୁତି ଜୋରଦାର କରାଯାଇଥିବା ସୂଚନା ମିଳିଛି।




