କୋରାପୁଟ: ଓଡ଼ିଶାର କୋରାପୁଟ ଜିଲ୍ଲା ଅନ୍ତର୍ଗତ ବିବାଦୀୟ କୋଟିଆ ସୀମାଞ୍ଚଳରେ ପୁଣିଥରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ମଙ୍ଗଳବାର ସୀମାନ୍ତ ଚେକ୍‌ପୋଷ୍ଟରେ ଓଡ଼ିଶା ପୁଲିସ ପକ୍ଷରୁ ଲଗାଯାଇଥିବା ବାରିକେଡ୍‌କୁ ଆନ୍ଧ୍ର ପୁଲିସ ଜବରଦସ୍ତ ହଟାଇ ଦେବା ପରେ ଦୁଇ ରାଜ୍ୟର ପୁଲିସ ବାହିନୀ ସୀମାରେ ମୁହାଁମୁହିଁ ହୋଇଛନ୍ତି।

ଏହି ଘଟଣା କୋଟିଆ ପଞ୍ଚାୟତର ନେରୀଡିବଲସା ଗ୍ରାମରେ ଘଟିଛି:

କୋଟିଆ ଅଞ୍ଚଳରେ ଆନ୍ଧ୍ର ପ୍ରଦେଶର ନିର୍ବାଚନୀ କାର୍ଯ୍ୟକଳାପକୁ ନେଇ ବୃଦ୍ଧି ପାଉଥିବା ଅସନ୍ତୋଷ ମଧ୍ୟରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ସୀମାରେ ବାରିକେଡ୍ ସ୍ଥାପନ କରାଯାଇଥିଲା। ଅଭିଯୋଗ ଅନୁଯାୟୀ, ଆନ୍ଧ୍ର ପୁଲିସ ଜବାନମାନେ ଏହି ବାରିକେଡ୍‌ଗୁଡ଼ିକୁ ଭାଙ୍ଗି ହଟାଇ ଦେଇଥିଲେ, ଯାହାକୁ ନେଇ ଦୁଇ ପଡ଼ୋଶୀ ରାଜ୍ୟର ପୁଲିସ କର୍ମଚାରୀଙ୍କ ମଧ୍ୟରେ ପ୍ରତ୍ୟକ୍ଷ ସଂଘର୍ଷ ଓ ସ୍ଥିତି ଗମ୍ଭୀର ହୋଇଥିଲା।

ସ୍ଥିତି ସେତେବେଳେ ଅଧିକ ଜଟିଳ ହୋଇଥିଲା, ଯେତେବେଳେ ଚେକ୍‌ପୋଷ୍ଟରେ ଉପସ୍ଥିତ ଥିବା କୋରାପୁଟ ଉପ-ଜିଲ୍ଲାପାଳ ଏବଂ ପଟ୍ଟାଙ୍ଗୀ ତହସିଲଦାରଙ୍କ ସହ ଆନ୍ଧ୍ର ପୁଲିସର ଜବାନମାନେ ଉତ୍ତେଜିତ ହୋଇ ପାଟିତୁଣ୍ଡ ଓ ଯୁକ୍ତିତର୍କ କରିଥିଲେ।

ସୀମାରେ ଏହି ତାଜା ସଂଘର୍ଷର ଗୋଟିଏ ଦିନ ପୂର୍ବରୁ ଓଡ଼ିଶା ପୁଲିସ ନେରୀଡିବଲସା ଚେକ୍‌ପୋଷ୍ଟ ନିକଟରେ ଆନ୍ଧ୍ର ପ୍ରଦେଶ ନମ୍ବର ଥିବା ଏକ ଚାଉଳ ବୋଝେଇ ଟ୍ରକ୍‌କୁ ଅଟକାଇ ଫେରାଇ ଦେଇଥିଲା। କୋଟିଆରେ ଆନ୍ଧ୍ରର ନିର୍ବାଚନୀ ପ୍ରକ୍ରିୟା ଏବଂ ପ୍ରଶାସନିକ ଅନୁପ୍ରବେଶକୁ ନେଇ ସୀମାଞ୍ଚଳରେ ବହୁ ଦିନରୁ ବିବାଦ ଲାଗି ରହିଥିବା ବେଳେ ଏହି ନୂତନ ଘଟଣା ସୀମାନ୍ତରେ ସୁରକ୍ଷା ଓ ଶାନ୍ତି ପ୍ରତି ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।