ଭୁବନେଶ୍ୱର: ଓଡ଼ିଶାରେ ଅଡିଟ୍‌ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ନିରପେକ୍ଷ ଓ ସୁସଂଗଠିତ କରିବାକୁ ନୂଆ ମାନକ ସଂଚାଳନ ପ୍ରକ୍ରିୟା (SOP) ପ୍ରସ୍ତୁତ ହେବ। ଏଣିକି କୌଣସି ଅଡିଟର୍‌ଙ୍କୁ ତାଙ୍କ ନିଜ ଜିଲ୍ଲାରେ ଅଡିଟ୍‌ କାର୍ଯ୍ୟ କରିବାକୁ ଅନୁମତି ମିଳିବ ନାହିଁ।

ଶୁକ୍ରବାର ରାଜସ୍ବ ପରିଷଦ ସଦସ୍ୟ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅଡିଟ୍‌ ସମ୍ପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି।

୪୨୦ କାର୍ଯ୍ୟାଳୟର ହୁଏ ଅଡିଟ୍‌

ରାଜସ୍ବ ପରିଷଦ ପକ୍ଷରୁ ରାଜସ୍ବ କମିଶନର, ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲ ଓ ଭୂଦାନ ଯଜ୍ଞ ସମିତି ସମେତ ପ୍ରାୟ ୪୨୦ଟି କାର୍ଯ୍ୟାଳୟର ଅଡିଟ୍‌ କରାଯାଏ।

ତେବେ ଗୋଟିଏ କାର୍ଯ୍ୟାଳୟରେ ଦୀର୍ଘ ସମୟ ଧରି ଅଡିଟ୍‌ ଚାଲିବା ଯୋଗୁଁ କାର୍ଯ୍ୟାଳୟର ଦୈନନ୍ଦିନ କାମ ପ୍ରଭାବିତ ହେଉଥିବା ନେଇ ବୈଠକରେ ଆଲୋଚନା ହୋଇଛି।

ଗୋଟିଏ ଅଡିଟ୍‌ ପାଇଁ ସର୍ବାଧିକ ୨୦ ଦିନ

ନୂଆ ବ୍ୟବସ୍ଥାରେ ଗୋଟିଏ କାର୍ଯ୍ୟାଳୟର ଗୋଟିଏ ଆର୍ଥିକ ବର୍ଷର ଅଡିଟ୍‌ ପାଇଁ ସର୍ବାଧିକ ୨୦ କାର୍ଯ୍ୟଦିବସ ଧାର୍ଯ୍ୟ କରାଯିବ। ଧାର୍ଯ୍ୟ ସମୟ ମଧ୍ୟରେ ଅଡିଟ୍‌ ସାରିବାକୁ ନିର୍ଦ୍ଦେଶ ଦିଆଯିବ।

ଏହାସହ ଏପର୍ଯ୍ୟନ୍ତ ଅଡିଟ୍‌ ହୋଇନଥିବା କାର୍ଯ୍ୟାଳୟଗୁଡ଼ିକୁ ପ୍ରାଥମିକତା ଦେଇ ଅଡିଟ୍‌ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି।

ଅଡିଟ୍‌ରେ ସ୍ୱଚ୍ଛତା ଉପରେ ଗୁରୁତ୍ୱ

ଅଡିଟ୍‌ ପ୍ରକ୍ରିୟାରେ ବସ୍ତୁନିଷ୍ଠତା, ସ୍ୱଚ୍ଛତା ଓ ନିରପେକ୍ଷତା ରକ୍ଷା ପାଇଁ ନୂଆ SOPରେ ଏହି ବ୍ୟବସ୍ଥାଗୁଡ଼ିକୁ ସ୍ପଷ୍ଟ କରାଯିବ।