ଭୁବନେଶ୍ୱର: କୋର୍ଟଙ୍କ ଆଦେଶ ସତ୍ତ୍ୱେ ପତ୍ନୀ ଓ ପରିବାରକୁ ଭରଣପୋଷଣ ଦେବାରେ ହେଳା କରୁଥିବା ସରକାରୀ କର୍ମଚାରୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଓଡ଼ିଶା ସରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନୂତନ ନିୟମ ଅନୁଯାୟୀ, କୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କରୁଥିବା କର୍ମଚାରୀଙ୍କ ଦରମାରୁ ସିଧାସଳଖ ଟଙ୍କା କାଟି ଆବେଦନକାରୀ ପତ୍ନୀ କିମ୍ବା ସନ୍ତାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ।

ମୁଖ୍ୟମନ୍ତ୍ରୀଙ୍କ ‘ଜନ ଅଭିଯୋଗ’ରୁ ମିଳିଥିଲା ସୂଚନା:

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO) ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରତି ସପ୍ତାହରେ ଅନୁଷ୍ଠିତ ହେଉଥିବା ‘ଜନ ଅଭିଯୋଗ ଶୁଣାଣି’ ସମୟରେ ଅନେକ ମହିଳା ଆସି ଅଭିଯୋଗ କରୁଥିଲେ ଯେ ସେମାନଙ୍କ ସ୍ୱାମୀ ସରକାରୀ ଚାକିରିଆ ହୋଇ ମଧ୍ୟ କୋର୍ଟଙ୍କ ଖୋରାକୀ ଆଦେଶକୁ ମାନୁନାହାନ୍ତି। ପ୍ରତି ଶୁଣାଣିରେ ହାରାହାରି ୨ରୁ ୩ଟି ଏପରି ମାମଲା ସାମ୍ନାକୁ ଆସୁଥିଲା। ଏହାକୁ ଗମ୍ଭୀରତାର ସହ ନେଇ ମୁଖ୍ୟମନ୍ତ୍ରୀ ସମସ୍ତ ବିଭାଗକୁ କୋର୍ଟ ଆଦେଶର ତୁରନ୍ତ କାର୍ଯ୍ୟକାରିତା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ନୂତନ ମାର୍ଗଦର୍ଶିକା ଅନୁଯାୟୀ, କୌଣସି ବିଭାଗ କୋର୍ଟଙ୍କ ଭରଣପୋଷଣ କିମ୍ବା ଆଲିମୋନି ଆଦେଶ ପାଇବା ମାତ୍ରେ, ସମ୍ପୃକ୍ତ ଅଫିସର ‘ଡ୍ରଇଂ ଆଣ୍ଡ ଡିସବର୍ସିଂ ଅଫିସର’ (DDO) ପ୍ରତିମାସରେ ଦରମା ବିଲ୍ ପ୍ରସ୍ତୁତ କରିବା ସମୟରେ ସେହି ନିର୍ଦ୍ଧାରିତ ପରିମାଣର ଟଙ୍କା କାଟିନେବେ। ଏହି ଟଙ୍କା ଇଲେକ୍ଟ୍ରୋନିକ୍ସ ମାଧ୍ୟମରେ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯିବ।

ଏହି ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, “ଜଣେ ସରକାରୀ କର୍ମଚାରୀ ହୋଇ କୋର୍ଟଙ୍କ ଆଦେଶକୁ ଅବମାନନା କରିବା ଏବଂ ନିଜ ସ୍ତ୍ରୀ-ପିଲାଙ୍କୁ ଆର୍ଥିକ ଅସୁବିଧାରେ ପକାଇବା ଆଦୌ ଗ୍ରହଣଯୋଗ୍ୟ ନୁହେଁ।”

ଏହି ପ୍ରକ୍ରିୟାକୁ ଆହୁରି ସହଜ, ସ୍ୱଚ୍ଛ ଏବଂ ସ୍ୱୟଂଚାଳିତ କରିବା ପାଇଁ ରାଜ୍ୟ ସରକାର ଏହି ବ୍ୟବସ୍ଥାକୁ ‘ହ୍ୟୁମାନ୍ ରିସୋର୍ସ ମ୍ୟାନେଜମେଣ୍ଟ ସିଷ୍ଟମ୍’ (HRMS) ସଫ୍ଟୱେର୍ ସହ ଯୋଡ଼ିବାକୁ ଯୋଜନା କରୁଛନ୍ତି।