ଭୁବନେଶ୍ୱର: ଓଡ଼ିଶାରେ ବିଦେଶୀ ନିବେଶ ଆକୃଷ୍ଟ କରିବା ଲକ୍ଷ୍ୟରେ ୟୁଏଇ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଆବୁଧାବିରେ ପହଞ୍ଚିଛନ୍ତି। ସେପ୍ଟେମ୍ବର ୯ରୁ ତାଙ୍କର ମୁଖ୍ୟ ନିବେଶକ ଓ ଶିଳ୍ପପତି ବୈଠକ ଆରମ୍ଭ ହେବ। ତିନିଦିନିଆ ଏହି ଗସ୍ତରେ ଆବୁଧାବି ଓ ଦୁବାଇରେ ନିବେଶକ, ଶିଳ୍ପସଂସ୍ଥା, ସରକାରୀ ପ୍ରତିନିଧି ଓ ବିଭିନ୍ନ ନିବେଶ ପାଣ୍ଠି ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ।
ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ରହିଛି। ଆବୁଧାବି ପହଞ୍ଚିବା ପରେ ମାଝୀ ଆଗାମୀ ବୈଠକଗୁଡ଼ିକର ପ୍ରସ୍ତୁତି ଓ ଆୟୋଜନ ସମ୍ପର୍କରେ ସମୀକ୍ଷା କରିଛନ୍ତି।
୯ରୁ ହାଇପ୍ରୋଫାଇଲ୍ ବୈଠକ
ସେପ୍ଟେମ୍ବର ୯ରେ ଆବୁଧାବିରେ ନିବେଶ ସମ୍ପର୍କିତ ଏକାଧିକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ। International Holding Company (IHC) ଓ ଏହାର ବିଭିନ୍ନ ବ୍ୟବସାୟିକ ସଂସ୍ଥା ସହ ରାଉଣ୍ଡଟେବୁଲ୍ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ। ଏହାସହ Memoranda of Cooperation (MoCs) ସ୍ୱାକ୍ଷର ଏବଂ ୟୁଏଇର ନିବେଶମନ୍ତ୍ରୀ ଓ ସାର୍ବଭୌମ ନିବେଶ ପାଣ୍ଠିର ପ୍ରତିନିଧିଙ୍କ ସହ ଆଲୋଚନା ହେବ।
ଏହି ବୈଠକଗୁଡ଼ିକରେ ଓଡ଼ିଶାରେ ନିବେଶ ସୁଯୋଗ, ଶିଳ୍ପ ସହଯୋଗ, ପ୍ରଯୁକ୍ତି ଭାଗିଦାରି ଓ ଦୀର୍ଘମିଆଦୀ ପୁଞ୍ଜି ନିବେଶ ନେଇ ଆଲୋଚନା ହେବ।
ଓଡ଼ିଶାର ଶିଳ୍ପ ସମ୍ଭାବନା ଉପରେ ଫୋକସ୍
ୟୁଏଇର ନିବେଶକଙ୍କ ସମ୍ମୁଖରେ ଓଡ଼ିଶାର ଶିଳ୍ପ ଭିତ୍ତିଭୂମି, ବନ୍ଦର, ଖଣିଜ ସମ୍ପଦ, ପ୍ରତିଯୋଗିତାମୂଳକ ବିଦ୍ୟୁତ ଉପଲବ୍ଧତା, ଦକ୍ଷ ମାନବସମ୍ବଳ ଓ ବିଶାଳ ଭାରତୀୟ ବଜାର ସହ ଯୋଗାଯୋଗକୁ ପ୍ରମୁଖ ନିବେଶ ସୁଯୋଗ ଭାବେ ଉପସ୍ଥାପନ କରାଯିବ।
ଧାତୁ ଓ ଧାତୁଜାତ ଶିଳ୍ପ, ବନ୍ଦର ଓ ଲଜିଷ୍ଟିକ୍ସ, ଶକ୍ତି, କେମିକାଲ୍ସ ଓ ପେଟ୍ରୋକେମିକାଲ୍ସ, ଦୁର୍ଲଭ ମୃତ୍ତିକା ଖଣିଜ, ଜାହାଜ ନିର୍ମାଣ, ଖାଦ୍ୟ ଓ ସାମୁଦ୍ରିକ ଉତ୍ପାଦ ଭଳି କ୍ଷେତ୍ରରେ ନିବେଶ ପାଇଁ ରାଜ୍ୟ ସରକାର ଆଗ୍ରହୀ ନିବେଶକଙ୍କ ସହ ଆଲୋଚନା କରିବେ।
ଦୁବାଇରେ ଇନଭେଷ୍ଟର୍ସ ମିଟ୍
ଆବୁଧାବି ପରେ ପ୍ରତିନିଧିମଣ୍ଡଳୀ ଦୁବାଇ ଯିବ। ସେଠାରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଶିଳ୍ପସଂସ୍ଥାର ମୁଖ୍ୟ ଓ ସମ୍ଭାବ୍ୟ ନିବେଶକଙ୍କ ସହ ଓ୍ୱାନ୍-ଟୁ-ଓ୍ୱାନ୍ ବୈଠକ କରିବେ। ସେପ୍ଟେମ୍ବର ୧୧ରେ ଦୁବାଇରେ Odisha Investors’ Meetରେ ଯୋଗଦେବା ସହ ୟୁଏଇରେ ଥିବା ଓଡ଼ିଆ ପ୍ରବାସୀଙ୍କ ସହ ମଧ୍ୟ ଆଲୋଚନା କରିବେ।
ସେପ୍ଟେମ୍ବର ୧୨ରେ ମୁଖ୍ୟମନ୍ତ୍ରୀ ୟୁଏଇ ଛାଡ଼ିବା କାର୍ଯ୍ୟକ୍ରମ ରହିଛି। ଓଡ଼ିଶାରେ ନିବେଶ, ଶିଳ୍ପ ସହଯୋଗ ଓ ବାଣିଜ୍ୟିକ ସମ୍ପର୍କକୁ ଆହୁରି ମଜବୁତ କରିବା ସହ ନିବେଶକଙ୍କ ଆଗ୍ରହକୁ ବାସ୍ତବ ପ୍ରକଳ୍ପରେ ପରିଣତ କରିବା ଏହି ଗସ୍ତର ମୁଖ୍ୟ ଲକ୍ଷ୍ୟ ବୋଲି ସରକାର ପକ୍ଷରୁ କୁହାଯାଇଛି।




