ଭୁବନେଶ୍ୱର: ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ଦାବିରେ ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଆଜି ରାଜଧାନୀ ଭୁବନେଶ୍ୱରର ରାଜରାସ୍ତାରେ ‘ସମ୍ବିଧାନ ବଞ୍ଚାଅ’ ରାଲି ଆୟୋଜନ କରାଯାଉଛି। ଦଳ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ରାଜ୍ୟସ୍ତରୀୟ ଆନ୍ଦୋଳନରେ ରାଜ୍ୟର ବିଭିନ୍ନ ଜିଲ୍ଲା ଏବଂ ବ୍ଲକରୁ ବହୁ ସଂଖ୍ୟାରେ କଂଗ୍ରେସ ନେତା ଓ କର୍ମୀ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। କଂଗ୍ରେସ ଦଳର ଆକଳନ ଅନୁଯାୟୀ, ଏହି ସମାବେଶରେ ପ୍ରାୟ ୧୦ରୁ ୧୫ ହଜାର ନେତା ଓ କର୍ମୀଙ୍କ ସମେତ ପାଖାପାଖି ୫ ହଜାର ବାଇକ୍ ସାମିଲ ହେବେ।
ଏହି ଆନ୍ଦୋଳନ ମାଧ୍ୟମରେ ବିଭିନ୍ନ ଜନସ୍ୱାର୍ଥ ସମ୍ବଳିତ ତଥା ରାଜ୍ୟ ସମ୍ପର୍କିତ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଘେରିବାକୁ କଂଗ୍ରେସ ପ୍ରସ୍ତୁତ ହୋଇଛି। ଦଳର ପ୍ରମୁଖ ଅଭିଯୋଗ ମଧ୍ୟରେ ରହିଛି ଏମ୍ଏମ୍ଡିଆର୍ (MMDR) ପ୍ରସଙ୍ଗ। କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଏହା ଦ୍ୱାରା ଓଡ଼ିଶାର ଖଣିଜ ସମ୍ପଦ ଏବଂ ରାଜସ୍ୱ ଅଧିକାର କ୍ଷୁଣ୍ଣ ହେଉଛି। ଏଥିଯୋଗୁଁ ରାଜ୍ୟ ପ୍ରାୟ ୧ ଲକ୍ଷ ୧୦ ହଜାର କୋଟି ଟଙ୍କାର ରାଜସ୍ୱ ହରାଇଛି ବୋଲି କଂଗ୍ରେସ ଦଳ ଦାବି କରିଛି।
କଂଗ୍ରେସର ସୂଚନା ମୁତାବକ, ଗଞ୍ଜାମ ଜିଲ୍ଲାର ବନ୍ୟା କ୍ଷୟକ୍ଷତି ଏବଂ ଏହାର ପରିଚାଳନାରେ ରାଜ୍ୟ ସରକାର ବିଫଳ ହୋଇଥିବା ଅଭିଯୋଗକୁ ଦଳ ଏହି ସମାବେଶରେ ପ୍ରମୁଖତା ସହ ଉଠାଇବ। ଏହା ସହିତ ଦୀର୍ଘ ଦିନରୁ ଲାଗି ରହିଥିବା କୋଟିଆ ସୀମା ବିବାଦର ସମାଧାନ ହୋଇପାରିନଥିବା ପ୍ରସଙ୍ଗ, ପୋଲାଭରମ୍ ପ୍ରକଳ୍ପ ଏବଂ ମହାନଦୀ ଜଳ ବିବାଦ ଭଳି ସମ୍ବେଦନଶୀଳ ବିଷୟଗୁଡ଼ିକୁ ମଧ୍ୟ ଆନ୍ଦୋଳନରେ ସାମିଲ କରାଯାଇଛି।
ଏହାବ୍ୟତୀତ ବିଦ୍ୟାଳୟ ପାଠ୍ୟପୁସ୍ତକରେ ତ୍ରୁଟି ରହିଥିବା ଅଭିଯୋଗ କରି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରିବାକୁ କଂଗ୍ରେସ ଯୋଜନା ରଖିଛି। ଏହି ସମସ୍ତ ପ୍ରସଙ୍ଗକୁ ନେଇ ‘ସମ୍ବିଧାନ ବଞ୍ଚାଅ’ ରାଲି ଜରିଆରେ ରାଜ୍ୟ ସରକାରଙ୍କ ନୀତି ଓ କାର୍ଯ୍ୟଧାରା ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯାଇଛି।




