ଭୁବନେଶ୍ୱର: ଖରିଫ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟରେ ସାର ଉପଲବ୍ଧତା ଓ ସୁଷମ ବଣ୍ଟନକୁ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିଛନ୍ତି। ଲୋକସେବା ଭବନରେ ଆୟୋଜିତ ଏହି ଉଚ୍ଚସ୍ତରୀୟ ବୈଠକରେ ସେ “ଲାଷ୍ଟ ମାଇଲ ଡେଲିଭରୀ” ଉପରେ ଜୋର ଦେଇ କହିଛନ୍ତି ଯେ, ଛୋଟ ବା ବଡ଼ ସମସ୍ତ ଚାଷୀ ଆବଶ୍ୟକତା ଅନୁଯାୟୀ ସାର ପାଇବା ନିଶ୍ଚିତ ହେବା ଉଚିତ୍।
ପଶ୍ଚିମ ଏସିଆରେ ଚାଲୁଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବରେ ସାର ଉତ୍ପାଦନ ଓ ଯୋଗାଣ ବ୍ୟବସ୍ଥା କେତେକ ସ୍ଥାନରେ ବାଧାପ୍ରାପ୍ତ ହୋଇଥିବାରୁ ରାଜ୍ୟ ସରକାର ପୂର୍ବ ସତର୍କତା ମାପ ଗ୍ରହଣ କରୁଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କ ସହ ଭିଡିଓ କନ୍ଫରେନ୍ସିଙ୍ଗ୍ ମାଧ୍ୟମରେ ଆଲୋଚନା କରି ପ୍ରୟୋଜନୀୟ ନିର୍ଦ୍ଦେଶ ଜାରି କରିଛନ୍ତି।
ବୈଠକରେ କୃଷି ବିଭାଗର କମିସନର ସଚିନ ରାମଚନ୍ଦ୍ର ଯାଦବ ରାଜ୍ୟର ସାର ମଜୁତ ସମ୍ପର୍କରେ ତଥ୍ୟ ଦେଇ କହିଛନ୍ତି ଯେ, ଚଳିତ ବର୍ଷ ପାଇଁ ୧୧.୪୨ ଲକ୍ଷ ମେଟ୍ରିକ ଟନ ସାର ଯୋଗାଣର ବ୍ୟବସ୍ଥା ହୋଇଛି। ଏପ୍ରିଲ ମାସ ପାଇଁ ଆବଶ୍ୟକତାଠାରୁ ଅଧିକ ସାର ରାଜ୍ୟରେ ଉପଲବ୍ଧ ରହିଛି। ବର୍ତ୍ତମାନ ୧.୭୭ ଲକ୍ଷ ମେଟ୍ରିକ ଟନ ୟୁରିଆ ଓ ୬୦ ହଜାର ମେଟ୍ରିକ ଟନରୁ ଅଧିକ DAP ସାର ମଜୁତ ଅଛି।
ରାଜ୍ୟ ସରକାରଙ୍କ ତଦାରଖରେ ବିଭିନ୍ନ ଡିଲର ପଏଣ୍ଟ ଯାଞ୍ଚ କରାଯାଇ ୬ଟି ଲାଇସେନ୍ସ ବାତିଲ୍ କରାଯାଇଥିବା ବେଳେ ସାର ବଣ୍ଟନ ବ୍ୟବସ୍ଥାକୁ ସ୍ୱଚ୍ଛ କରିବାକୁ ଇଣ୍ଟିଗ୍ରେଟେଡ୍ ଫର୍ଟିଲାଇଜର ମ୍ୟାନେଜମେଣ୍ଟ ସିଷ୍ଟମ ମଧ୍ୟ ଚାଲୁ ହୋଇଛି।
ମୁଖ୍ୟମନ୍ତ୍ରୀ ବୈଠକରେ କଳାବଜାରୀ ଓ ଅବୈଧ ସାର ମଜୁତକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ, ସୀମାନ୍ତ ଅଞ୍ଚଳରେ ଚେକିଂ ବୃଦ୍ଧି, ପଞ୍ଚାୟତ ସ୍ତରରେ ନିରୀକ୍ଷଣ ସମିତି ଗଠନ ଓ ଚାଷୀଙ୍କ ଡିଜିଟାଲ ପଞ୍ଜୀକରଣକୁ ତ୍ୱରାନ୍ୱିତ କରିବା ପରି ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହାସହିତ ଚାଷୀମାନଙ୍କୁ ସନ୍ତୁଳିତ ସାର ବ୍ୟବହାର ପାଇଁ ସଚେତନ କରିବା, ଜୈବିକ ସାର ଓ ନାନୋ ୟୁରିଆ ପ୍ରଚାର କରିବା ଓ ସାର ଦାମ୍ ଓ ମଜୁତ ସମ୍ପର୍କରେ ସୂଚନାକୁ ଓଡ଼ିଆ ଭାଷାରେ ସ୍ପଷ୍ଟ ଭାବେ ପ୍ରଦର୍ଶନ କରିବାକୁ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶ ପରେ ଆସନ୍ତା ଖରିଫ ଋତୁରେ ଚାଷୀମାନେ ସମୟରେ ଓ ସଠିକ୍ ମୂଲ୍ୟରେ ସାର ପାଇବେ ବୋଲି ଆଶା କରାଯାଉଛି।





