ଭୁବନେଶ୍ୱର: ଓଡ଼ିଶାରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତିରେ ସୁଧାର ଆସିବା ପାଇଁ ଆହୁରି ତିନିରୁ ଚାରି ଦିନ ସମୟ ଲାଗିପାରେ। ମଙ୍ଗଳବାର ଦିନ ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ଓ ବନ୍ୟା ପରିସ୍ଥିତି ସମ୍ପର୍କରେ ସୂଚନା ଦେଇ ଜଳସମ୍ପଦ ବିଭାଗର ଇଞ୍ଜିନିୟର-ଇନ୍-ଚିଫ୍ (EIC) ଦିଲୀପ ରାଉତ ଏହି ସୂଚନା ଦେଇଛନ୍ତି।
ବୈତରଣୀ ନଦୀର ଜଳସ୍ତର ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ବ୍ରାହ୍ମଣୀ ନଦୀର ସ୍ଥିତି ଚିନ୍ତାଜନକ ରହିଛି। ବ୍ରାହ୍ମଣୀର ଉପର ମୁଣ୍ଡରେ କ୍ରମାଗତ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଜଳସ୍ତର ହ୍ରାସ ପାଇବା ପ୍ରକ୍ରିୟା ମନ୍ଦେଇ ଯାଇଛି। ସାଳନ୍ଦୀ, ବୁଢ଼ାବଳଙ୍ଗ ଏବଂ ସୁବର୍ଣ୍ଣରେଖା ନଦୀରେ ବନ୍ୟା ସ୍ଥିତି ବର୍ତ୍ତମାନ ସ୍ଥିର ରହିଛି।
ସୁବର୍ଣ୍ଣରେଖା ନଦୀ ସମ୍ପର୍କରେ ସୂଚନା ଦେଇ ଇଆଇସି କହିଛନ୍ତି ଯେ ବୁଧବାର ସନ୍ଧ୍ୟା ସୁଦ୍ଧା କେତେକ ଅଞ୍ଚଳରେ ବନ୍ୟାଜଳ ପହଞ୍ଚିପାରେ। ଗାଲୁଡ଼ିହି ବ୍ୟାରେଜ୍ରୁ ପ୍ରାୟ ୫,୫୦୦ କ୍ୟୁସେକ୍ ଜଳ ଛଡ଼ାଯିବାର ସମ୍ଭାବନା ଥିବାରୁ କିଛି ତଳିଆ ଅଞ୍ଚଳରେ ପାଣି ପଶିପାରେ।
ଲଘୁଚାପ ପ୍ରଭାବରେ ଉପର ମୁଣ୍ଡରେ ବର୍ଷା ଜାରି ରହିଥିବାରୁ ଆଶା କରାଯାଉଥିବା ପରିମାଣରେ ଜଳସ୍ତର କମୁନାହିଁ। ଜଳସମ୍ପଦ ବିଭାଗ ପକ୍ଷରୁ ବିଶେଷ କରି ବୈତରଣୀ ଏବଂ ବ୍ରାହ୍ମଣୀ ନଦୀ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି।
“ବ୍ରାହ୍ମଣୀ ନଦୀର ଉପର ମୁଣ୍ଡରୁ ଆସୁଥିବା ଜଳକୁ ରେଙ୍ଗାଲି ଡ୍ୟାମ୍ ଜରିଆରେ ନିୟନ୍ତ୍ରଣ କରାଯାଉଛି। ଆମେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛୁ। ଯଦି ଆଗାମୀ ଦିନରେ ଆଉ ବର୍ଷା ନହୁଏ, ତେବେ ବନ୍ୟାଜଳ ଧୀରେ ଧୀରେ ହ୍ରାସ ପାଇବ,” ବୋଲି ଇଆଇସି ଦିଲୀପ ରାଉତ ପ୍ରକାଶ କରିଛନ୍ତି।




