ଭୁବନେଶ୍ୱର: ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଅଭାବ ସମ୍ପର୍କିତ ଗୁଜବ ମଧ୍ୟରେ ଲୋକମାନଙ୍କ ଭିତରେ ଆତଙ୍କ ସୃଷ୍ଟି ହୋଇଥିବାବେଳେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟରେ ପେଟ୍ରୋଲ ଓ ଡିଜେଲର କୌଣସି ଅଭାବ ନାହିଁ। ପର୍ଯ୍ୟାପ୍ତ ପରିମାଣର ଇନ୍ଧନ ମହଜୁଦ ଥିବାରୁ ସାଧାରଣ ଲୋକ ଅଯଥାରେ ଭୟଭୀତ ନ ହେବାକୁ ସେ ଅନୁରୋଧ କରିଛନ୍ତି।

ମନ୍ତ୍ରୀଙ୍କ କହିବା ଅନୁଯାୟୀ, ରାଜ୍ୟରେ ପ୍ରାୟ ୧୩ ଦିନର ଆବଶ୍ୟକତା ପୂରଣ ପାଇଁ ଯଥେଷ୍ଟ ଇନ୍ଧନ ସଂଗ୍ରହ ରହିଛି। କିନ୍ତୁ ଗତ ଦୁଇ ଦିନ ଧରି ଲୋକମାନେ ଅତ୍ୟଧିକ ପରିମାଣରେ ତେଲ କିଣିବା ଆରମ୍ଭ କରିଥିବାରୁ ପେଟ୍ରୋଲ ପମ୍ପଗୁଡ଼ିକରେ ଭିଡ଼ ବଢ଼ିଛି। ସାଧାରଣତଃ ୧୦୦ ଟଙ୍କାର ତେଲ ନେଉଥିବା ଲୋକମାନେ ଏବେ ୫୦୦ ଟଙ୍କା କିମ୍ବା ତାଠାରୁ ଅଧିକ ତେଲ କିଣୁଛନ୍ତି ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ରାଜ୍ୟରେ ଇନ୍ଧନ ଚାହିଦା ସାଧାରଣ ଆବଶ୍ୟକତାଠାରୁ ପ୍ରାୟ ୫୦ ପ୍ରତିଶତ ବଢ଼ିଯାଇଛି। ତେଣୁ ଲୋକମାନେ ଜରୁରୀଆତ ଅନୁଯାୟୀ ମାତ୍ରାରେ ତେଲ କିଣନ୍ତୁ ଏବଂ ଜାରକିନ୍‌ କିମ୍ବା ଟିଣ ଡବାରେ ଘରେ ଇନ୍ଧନ ମହଜୁଦ ରଖିବାରୁ ବିରତ ରୁହନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି।

ପେଟ୍ରୋଲ ପମ୍ପରେ କମ୍ ପରିମାଣରେ ତେଲ ଦିଆଯାଉଥିବା ଅଭିଯୋଗ ନେଇ ସେ କହିଛନ୍ତି ଯେ, ହଠାତ୍ ଭିଡ଼ ବଢ଼ିଥିବାରୁ ସମସ୍ତ ଗ୍ରାହକଙ୍କୁ ସେବା ଦେବା ପାଇଁ ପମ୍ପ ମାଲିକମାନେ ସତର୍କତାମୂଳକ ଭାବେ ଅଳ୍ପ ପରିମାଣରେ ତେଲ ଦେଉଛନ୍ତି। ଏହା ପଛରେ କୌଣସି ସରକାରୀ ନିର୍ଦ୍ଦେଶ କିମ୍ବା ଇନ୍ଧନ ଅଭାବ ଦାୟୀ ନୁହେଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।