ଗଜପତି: ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଓଡ଼ିଶା ସୀମାନ୍ତବର୍ତ୍ତୀ ଗାଁଗୁଡ଼ିକରେ ପ୍ରଶାସନ ଓ ପୁଲିସ ପକ୍ଷରୁ କଡ଼ା ନଜର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆନ୍ଧ୍ରପ୍ରଦେଶର ନିର୍ବାଚନ ପ୍ରକ୍ରିୟାରେ ଓଡ଼ିଶାର ଭୋଟରମାନେ ସାମିଲ ନହେବାକୁ ପ୍ରଶାସନ ପକ୍ଷରୁ ନିରନ୍ତର ଅନୁରୋଧ ଓ ସଚେତନତା କରାଯାଉଛି। ତେବେ ପୁଲିସର ପହରା ଆରମ୍ଭ ହେବା ପୂର୍ବରୁ ହିଁ ଗଜପତି ଜିଲ୍ଲାର ବିଭିନ୍ନ ସୀମାନ୍ତ ଗାଁରୁ ଅନେକ ଓଡ଼ିଶା ଭୋଟର ଆନ୍ଧ୍ରପ୍ରଦେଶକୁ ଚାଲିଯାଇଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁସାରେ, ଗଜପତି ଜିଲ୍ଲାର ସୀମାନ୍ତ ଗାଁ ମାଣିକପାଟଣା, ଗୁଡ଼ୁଖୁଡ଼ି, ମାଧିଆଖୋଲ ସମେତ ଆଖପାଖର ଅନ୍ୟ କିଛି ଗ୍ରାମର ପ୍ରାୟ ୨୦୦ରୁ ଅଧିକ ଭୋଟର ଆନ୍ଧ୍ରପ୍ରଦେଶର ମତଦାନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ପାଇଁ ଗତକାଲି ରାତିରୁ ହିଁ ନିଜ ନିଜ ଗାଁ ଛାଡ଼ି ଚାଲିଯାଇଥିବା ଜଣାପଡ଼ିଛି। ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଥିବା ଏହି ଗ୍ରାମବାସୀମାନଙ୍କୁ ଆନ୍ଧ୍ର ନିର୍ବାଚନରୁ ଦୂରେଇ ରଖିବା ପାଇଁ ଓଡ଼ିଶା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଥିବା ବେଳେ ଭୋଟରମାନଙ୍କ ଏହି ପଦକ୍ଷେପ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି।
ସ୍ଥାନୀୟ ସୂତ୍ରରୁ ପ୍ରକାଶ ଯେ, ଗତ ୫ ତାରିଖ ସକାଳୁ ଓଡ଼ିଶା ପୁଲିସ ସମ୍ପୃକ୍ତ ସୀମାନ୍ତ ଗାଁଗୁଡ଼ିକରେ ପହଞ୍ଚି ଗ୍ରାମବାସୀଙ୍କୁ ଆନ୍ଧ୍ରପ୍ରଦେଶ ନିର୍ବାଚନରେ ଭାଗ ନନେବାକୁ ବାରଣ କରିବା ସହ ସୀମାରେ କଟକଣା ଲଗାଇଥିଲା। ପୂର୍ବରୁ ସକାଳୁ ପୁଲିସ ପହଞ୍ଚିବା ଫଳରେ ଭୋଟରମାନେ ଯାଇପାରିନଥିଲେ। ଏହାକୁ ଦୃଷ୍ଟିରେ ରଖି ଏଥର ଗ୍ରାମବାସୀମାନେ ଆଗୁଆ ଯୋଜନା କରି ପୁଲିସ ପହରା ଆରମ୍ଭ ହେବା ପୂର୍ବରୁ ଅର୍ଥାତ୍ ଗତକାଲି ରାତିରୁ ହିଁ ଆନ୍ଧ୍ରପ୍ରଦେଶ ଅଭିମୁଖେ ଚାଲିଯାଇଥିବା କୁହାଯାଉଛି।
ବର୍ତ୍ତମାନ ଗଜପତି ଜିଲ୍ଲାର ସୀମାନ୍ତବର୍ତ୍ତୀ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ଓଡ଼ିଶା ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଏବଂ ନଜରଦାରୀକୁ ଆହୁରି କଡ଼ାକଡ଼ି କରାଯାଇଛି। ସୀମା ପାର ହୋଇ ଯେପରି ଆଉ କେହି ମତଦାନ ପାଇଁ ନଯାଆନ୍ତି, ସେଥିପାଇଁ ପ୍ରମୁଖ ରାସ୍ତା ଓ ପ୍ରବେଶ ପଥଗୁଡ଼ିକରେ ପୁଲିସ ମୁତୟନ ହୋଇଛନ୍ତି। ତେବେ ପୁଲିସର ପଦକ୍ଷେପ ପୂର୍ବରୁ ୨୦୦ରୁ ଅଧିକ ଭୋଟର ଆନ୍ଧ୍ର ଚାଲିଯାଇଥିବା ଘଟଣା ସମଗ୍ର ସୀମାନ୍ତ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।




