ଭୁବନେଶ୍ୱର: ରାଜ୍ୟରେ ଥିବା ପୁରୁଣା, ଜର୍ଜରୀଭୂତ ଏବଂ ଅସୁରକ୍ଷିତ କୋଠାଗୁଡ଼ିକୁ ଚିହ୍ନଟ କରିବା ପାଇଁ ଓଡ଼ିଶା ସରକାର ୧୫ ଦିନିଆ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ ଆରମ୍ଭ କରିଛନ୍ତି। ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଏହି କାର୍ଯ୍ୟାନୁଷ୍ଠାନକୁ ତ୍ୱରାନ୍ୱିତ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ସ୍ୱତନ୍ତ୍ର ଯାଞ୍ଚ ଟିମ୍ ରାଜ୍ୟର ସନ୍ଦିଗ୍ଧ ଅସୁରକ୍ଷିତ କୋଠାଗୁଡ଼ିକର ବିସ୍ତୃତ ଅନୁଧ୍ୟାନ କରି ୧୫ ଦିନ ମଧ୍ୟରେ ନିଜର ରିପୋର୍ଟ ଦାଖଲ କରିବେ। ଏହି ରିପୋର୍ଟ ଆଧାରରେ ଜୀବନ ଓ ସମ୍ପତ୍ତି ପ୍ରତି ବିପଦ ସୃଷ୍ଟି କରୁଥିବା କୋଠାଗୁଡ଼ିକୁ ଭାଙ୍ଗିବା ସହ ଆବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ସରକାରୀ ଅସୁରକ୍ଷିତ କୋଠାଗୁଡ଼ିକର ପୂର୍ବରୁ ସମୀକ୍ଷା କରାଯାଇ ନୋଟିସ୍ ଜାରି କରାଯାଇଥିଲା। ଏବେ ପୁନର୍ବାର ସମୀକ୍ଷା କରାଯାଇ ଅଭିଯାନକୁ ଜୋରଦାର କରିବାକୁ କୁହାଯାଇଛି।
ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର, ନଗର ଉନ୍ନୟନ ମନ୍ତ୍ରୀ ଙ୍କ କହିବା ଅନୁଯାୟୀ ବିଭାଗ ଅଧୀନରେ ଥିବା ଯେଉଁ କୋଠାଗୁଡ଼ିକ ଅସୁରକ୍ଷିତ ଶ୍ରେଣୀରେ ଆସିବ, ସେଗୁଡ଼ିକୁ ଭଙ୍ଗାଯିବ। ଅନ୍ୟ ବିଭାଗର କୋଠା ହୋଇଥିଲେ, ସମ୍ପୃକ୍ତ ବିଭାଗ ସହ ସମନ୍ୱୟ ରକ୍ଷା କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସୂଚିତ କରାଯିବ।”
ଏହି ଯାଞ୍ଚ ଅଭିଯାନ କେବଳ ସରକାରୀ କୋଠାରେ ସୀମିତ ରହିବ ନାହିଁ; ବେସରକାରୀ ଜର୍ଜରୀଭୂତ କୋଠାଗୁଡ଼ିକୁ ମଧ୍ୟ ଏଥିରେ ସାମିଲ କରାଯାଇଛି। ଅସୁରକ୍ଷିତ ଘୋଷିତ ହେଉଥିବା ବେସରକାରୀ କୋଠାଗୁଡ଼ିକର ମାଲିକଙ୍କୁ ନିୟମାନୁଯାୟୀ ନୋଟିସ୍ ଜାରି କରାଯିବ।
କଟକ ଓ ପୁରୀ ଭଳି ପୁରୁଣା ସହର ଉପରେ ନଜର:
କଟକ, ପୁରୀ ଭଳି ପୁରୁଣା ସହରଗୁଡ଼ିକରେ ଅନେକ ବର୍ଷର ପୁରୁଣା ସରକାରୀ ଓ ବେସରକାରୀ କୋଠା ରହିଛି, ଯାହା ରାସ୍ତାରେ ଯାତାୟାତ କରୁଥିବା ଲୋକ ଓ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ପୌରସଂସ୍ଥା (ULBs) ଗୁଡ଼ିକୁ ଏହି କୋଠାଗୁଡ଼ିକୁ ତୁରନ୍ତ ଚିହ୍ନଟ କରିବାକୁ ଦାୟିତ୍ୱ ଦିଆଯାଇଛି।
ସରକାରଙ୍କ ଏହି ପଦକ୍ଷେପ ମୁଖ୍ୟତଃ ଏକ ପ୍ରତିଷେଧକ ମୂଳକ ବ୍ୟବସ୍ଥା। କୌଣସି ଅପ୍ରୀତିକର ଦୁର୍ଘଟଣା ବା ଧନଜୀବନ ହାସି ହେବା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଏହାର ମୁଖ୍ୟ ଲକ୍ଷ୍ୟ। ନଗର ଉନ୍ନୟନ ବିଭାଗ ସମସ୍ତ ସ୍ଥାନୀୟ ପୌର ପ୍ରଶାସନ ସହ ମିଶି ସମୟସୀମା ମଧ୍ୟରେ ଏହି କାର୍ଯ୍ୟ ଶେଷ କରିବ।




