ଭୁବନେଶ୍ୱର: ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ରାଶି ପ୍ରଦାନରେ ବିଳମ୍ବ ହେଲେ ଦୁର୍ଘଟଣା ଘଟିଥିବା ତାରିଖରୁ ସୁଧ ପ୍ରଦାନ କରାଯିବ ବୋଲି ଓଡ଼ିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ରେଳ ଦୁର୍ଘଟଣାର ତାରିଖଠାରୁ କ୍ଷତିପୂରଣ ରାଶି ପ୍ରଦାନ ପର୍ଯ୍ୟନ୍ତ ସମୟ ପାଇଁ ରେଲୱେ କ୍ଲେମ୍ସ ଟ୍ରିବ୍ୟୁନାଲ୍ ନିର୍ଦ୍ଧାରିତ ବାର୍ଷିକ ସୁଧ ହାରରେ ପୀଡ଼ିତ ପରିବାର ସୁଧ ପାଇବାକୁ ହକଦାର ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି।
ଜଷ୍ଟିସ୍ ବି.ପି. ରାଉତରାୟଙ୍କ ଖଣ୍ଡପୀଠ ଭୁବନେଶ୍ୱରସ୍ଥିତ ରେଲୱେ କ୍ଲେମ୍ସ ଟ୍ରିବ୍ୟୁନାଲ୍ଙ୍କ ୨୦୨୫ ସେପ୍ଟେମ୍ବର ୧୯ର ରାୟରେ ପରିବର୍ତ୍ତନ ଆଣି ୨୦୨୪ ଅଗଷ୍ଟ ୨୮ରୁ କ୍ଷତିପୂରଣ ରାଶି ଉପରେ ସୁଧ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କ୍ଷତିପୂରଣ ଓ ସୁଧ ବାବଦ ସମସ୍ତ ଅର୍ଥ ପୀଡ଼ିତ ପରିବାର ସଦସ୍ୟଙ୍କ ନାମରେ ଅବିଳମ୍ବେ ଜମା କରିବାକୁ କେନ୍ଦ୍ର ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ତଥ୍ୟ ଅନୁଯାୟୀ, ରାଧାଶ୍ୟାମ ବିନ୍ଧାଣି ୨୦୨୪ ଅଗଷ୍ଟ ୨୮ରେ ଭୁବନେଶ୍ୱର-ପୁଡୁଚେରି ସୁପରଫାଷ୍ଟ ଏକ୍ସପ୍ରେସରେ ବୈଧ ଟିକେଟ୍ରେ ଯାତ୍ରା କରୁଥିବା ବେଳେ ଚଳନ୍ତା ଟ୍ରେନ୍ରୁ ଖସିପଡ଼ି ପ୍ରାଣ ହରାଇଥିଲେ। ଏହାପରେ ପରିବାର ପକ୍ଷରୁ ରେଲୱେ କ୍ଲେମ୍ସ ଟ୍ରିବ୍ୟୁନାଲ୍ରେ କ୍ଷତିପୂରଣ ପାଇଁ ଆବେଦନ କରାଯାଇଥିଲା।
ଟ୍ରିବ୍ୟୁନାଲ୍ ପୀଡ଼ିତ ପରିବାରକୁ ୮ ଲକ୍ଷ ଟଙ୍କା କ୍ଷତିପୂରଣ ସହ ବାର୍ଷିକ ୯ ପ୍ରତିଶତ ସୁଧ ପ୍ରଦାନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ସୁଧ ଗଣନା ଆବେଦନକାରୀଙ୍କ ସାକ୍ଷୀ ହାଜିରା ତାରିଖ (୨୦୨୫ ଜୁଲାଇ ୨୪)ରୁ କରାଯିବ ବୋଲି ଟ୍ରିବ୍ୟୁନାଲ୍ ରାୟରେ ଉଲ୍ଲେଖ ଥିଲା।
ଏହି ସୁଧ ଗଣନା ତାରିଖକୁ ଚ୍ୟାଲେଞ୍ଜ କରି ପୀଡ଼ିତ ପରିବାର ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟଙ୍କ ପୂର୍ବ ରାୟକୁ ଆଧାର କରି ଦୁର୍ଘଟଣା ତାରିଖଠାରୁ ସୁଧ ପ୍ରଦାନ କରିବାକୁ ଆବେଦନକାରୀଙ୍କ ପକ୍ଷରୁ ଦାବି କରାଯାଇଥିଲା। ହାଇକୋର୍ଟ ଏହି ଯୁକ୍ତିକୁ ଗ୍ରହଣ କରି ଟ୍ରିବ୍ୟୁନାଲ୍ର ରାୟରେ ସଂଶୋଧନ କରିଛନ୍ତି।




