କଟକ: ସଡ଼କ ଦୁର୍ଘଟଣା ହ୍ରାସ ଏବଂ ସଡ଼କ ବ୍ୟବହାରକାରୀଙ୍କ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ) କଡ଼ା ପଦକ୍ଷେପ ନେଇଛି। ଏଣିକି ଫିଟ୍‌ନେସ୍‌ (F), ପରମିଟ୍‌ (P) ଏବଂ ରେଜିଷ୍ଟ୍ରେସନ୍‌ (R) ନଥିବା ଯାନବାହନକୁ କେବଳ ଜରିମାନା ନୁହେଁ, ସିଧାସଳଖ ଜବତ କରାଯିବ। ଏନେଇ ସମସ୍ତ ଆର୍‌ଟିଓ, ଏଆର୍‌ଟିଓ ଏବଂ ଏନ୍‌ଫୋର୍ସମେଣ୍ଟ ଅଧିକାରୀଙ୍କୁ ଏସ୍‌ଟିଏ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।

ଏସ୍‌ଟିଏର ସମୀକ୍ଷାରୁ ଜଣାପଡ଼ିଛି ଯେ, ଗତ ଏପ୍ରିଲ୍‌ ୧ରୁ ଜୁନ୍‌ ୩୦ ମଧ୍ୟରେ ମୋଟ ୧,୬୪,୮୮୨ଟି ଚାଲାଣ ଜାରି ହୋଇଥିବା ବେଳେ କେବଳ ୪୨୮ଟି ଯାନ ଜବତ କରାଯାଇଛି। ଫଳରେ ଅଯୋଗ୍ୟ ଓ ନିୟମ ଉଲ୍ଲଂଘନକାରୀ ଗାଡ଼ିଗୁଡ଼ିକ ପୁଣି ରାସ୍ତାକୁ ଫେରି ଦୁର୍ଘଟଣାର କାରଣ ପାଲଟୁଥିବା ଏସ୍‌ଟିଏ ମତ ପ୍ରକାଶ କରିଛି।

ଏହି ପରିପ୍ରେକ୍ଷୀରେ ମୋଟର ଯାନ ଆଇନର ଧାରା ୨୦୭ ଅନୁଯାୟୀ ବିନା ଫିଟ୍‌ନେସ୍‌, ପରମିଟ୍‌ ଓ ପଞ୍ଜୀକରଣରେ ଚାଲୁଥିବା ଯାନଗୁଡ଼ିକୁ ଜବତ କରାଯିବ। କୌଣସି ଏନ୍‌ଫୋର୍ସମେଣ୍ଟ ଅଧିକାରୀ ଯାନ ଜବତ କଲେ କିମ୍ବା ନ କଲେ, ଉଭୟ କ୍ଷେତ୍ରରେ ସେଥିପାଇଁ ଉଚିତ କାରଣ ଦର୍ଶାଇବାକୁ ପଡ଼ିବ।

ଏସ୍‌ଟିଏ ସ୍ପଷ୍ଟ କରିଛି ଯେ, ଜବତ ହୋଇଥିବା ଯାନର ମାଲିକ ସମସ୍ତ ଆବଶ୍ୟକ କାଗଜପତ୍ର ବୈଧ ଥିବା ପ୍ରମାଣ କରିବା ସହ ଆବଶ୍ୟକ ଆନୁଷ୍ଠାନିକତା ପୂରଣ କରିବା ପରେ ହିଁ ଗାଡ଼ିକୁ ମୁକୁଳାଇପାରିବେ।

ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ପୁଲିସ ସହ ସମନ୍ୱୟ ରକ୍ଷା କରାଯିବା ସହ ‘ବାହନ’ ପୋର୍ଟାଲ୍‌ ଏବଂ ଇ-ଚାଲାଣ ଡ୍ୟାସ୍‌ବୋର୍ଡର ଆଲର୍ଟ ବ୍ୟବସ୍ଥାର ମଧ୍ୟ ସହାୟତା ନିଆଯିବ ବୋଲି ଏସ୍‌ଟିଏ କହିଛି।

ରାଜ୍ୟ ପରିବହନ ପ୍ରାଧିକରଣ କହିଛି, ସଡ଼କ ଦୁର୍ଘଟଣା ହ୍ରାସ ସରକାରଙ୍କ ପ୍ରାଥମିକତା। ବିନା ଫିଟ୍‌ନେସ୍‌ ଓ ବୈଧ କାଗଜପତ୍ରରେ ଚାଲୁଥିବା ଯାନ ଅନେକ ସମୟରେ ଦୁର୍ଘଟଣାର କାରଣ ହେଉଥିବାରୁ ଏହା ବିରୋଧରେ ଆହୁରି କଠୋର ଅଭିଯାନ ଜାରି ରହିବ। ସମସ୍ତ ଯାନମାଲିକ ଓ ଚାଳକଙ୍କୁ ସଡ଼କ ସୁରକ୍ଷା ନିୟମ ପାଳନ କରିବାକୁ ଏସ୍‌ଟିଏ ପକ୍ଷରୁ ଅନୁରୋଧ କରାଯାଇଛି।