ଭୁବନେଶ୍ୱର: ଓଡ଼ିଶା ବିଧାୟକଙ୍କ ଦରମା, ଭତ୍ତା ଓ ଅନ୍ୟାନ୍ୟ ସୁବିଧା ବୃଦ୍ଧି ନେଇ ପୁଣିଥରେ ଆଶା ସଞ୍ଚାର ହୋଇଛି। ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା, ଭତ୍ତା ଏବଂ ପେନ୍ସନ୍ ସମ୍ପର୍କରେ ରବିବାର ଓଡ଼ିଶା ବିଧାନସଭାରେ ଦରମା ଓ ଭତ୍ତା ସମ୍ପର୍କିତ ସଂସଦୀୟ ଯୁଗ୍ମ କମିଟି ଆଲୋଚନା କରିଛି।
ଭୁବନେଶ୍ୱର ଗସ୍ତରେ ଥିବା ଯୁଗ୍ମ କମିଟି ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିଧାନସଭା ସଚିବ ସତ୍ୟବ୍ରତ ରାଉତଙ୍କ ସମେତ ଅନ୍ୟ ଅଧିକାରୀଙ୍କ ସହ ପୃଥକ ଭାବେ ବୈଠକ କରିଥିଲେ। ଏଥିରେ ଓଡ଼ିଶା ବିଧାନସଭାର ବର୍ତ୍ତମାନର ସଦସ୍ୟଙ୍କ ଦରମା ଓ ବିଭିନ୍ନ ଭତ୍ତା ସହ ପୂର୍ବତନ ବିଧାୟକଙ୍କ ପେନ୍ସନ୍ ଓ ଅନ୍ୟାନ୍ୟ ସୁବିଧା ନେଇ ବିସ୍ତୃତ ଆଲୋଚନା ହୋଇଥିଲା।
ବୈଠକରେ ସଂସଦ ସଦସ୍ୟ ଏବଂ ଅନ୍ୟ ରାଜ୍ୟର ବିଧାୟକମାନଙ୍କୁ ମିଳୁଥିବା ଦରମା, ଭତ୍ତା ଓ ଆନୁଷଙ୍ଗିକ ସୁବିଧାର ତୁଳନାତ୍ମକ ତଥ୍ୟ ମଧ୍ୟ ଉପସ୍ଥାପନ କରାଯାଇଥିଲା। ଓଡ଼ିଶାର ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ ମିଳୁଥିବା ଦରମା ଏବଂ ଭତ୍ତାରେ ପରିବର୍ତ୍ତନର ଆବଶ୍ୟକତା ରହିଥିବା କମିଟି ଅନୁଭବ କରିଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି ପାଇଁ ପୂର୍ବରୁ ରାଜ୍ୟ ବିଧାନସଭାରେ ପ୍ରସ୍ତାବ ଆସିଥିଲା। ତେବେ ବିରୋଧୀ ଦଳ ସମେତ ବିଭିନ୍ନ ମହଲରୁ ବିରୋଧ ଓ ସମାଲୋଚନା ପରେ ଏହା ଆଗକୁ ବଢ଼ିପାରିନଥିଲା। ଏବେ ସଂସଦୀୟ ଯୁଗ୍ମ କମିଟିର ଆଲୋଚନା ପରେ ବିଧାୟକଙ୍କ ଦରମା ଓ ଭତ୍ତା ପରିବର୍ତ୍ତନ ପ୍ରସଙ୍ଗ ପୁଣି ଚର୍ଚ୍ଚାକୁ ଆସିଛି।
ସଂସଦୀୟ ଯୁଗ୍ମ କମିଟିର ଅଧ୍ୟକ୍ଷ ସାଂସଦ ବୀରେନ୍ଦ୍ର ପ୍ରସାଦ ବୈଶ୍ୟଙ୍କ ସମେତ ସାଂସଦ ବିଜୟ କୁମାର ଦୁବେ, ବୀଣା ଦେବୀ, କେ. ଗୋପୀନାଥ, ବାବୁ ସିଂହ କୁଶୱାହା ଓ ରିଚାର୍ଡ ବାନଲାଲହମଂଗଇହା ପ୍ରମୁଖ ଏହି ଗସ୍ତରେ ସାମିଲ ହୋଇଛନ୍ତି। ତେବେ ଦରମା ଓ ଭତ୍ତା ବୃଦ୍ଧି ନେଇ କୌଣସି ନିର୍ଦ୍ଦିଷ୍ଟ ରାଶି କିମ୍ବା ଅନ୍ତିମ ନିଷ୍ପତ୍ତି ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ।




