ଭୁବନେଶ୍ୱର: ସ୍କୁଲ ପାଠ୍ୟପୁସ୍ତକରେ ବ୍ୟାପକ ଭୁଲ୍ ଓ ଅନିୟମିତତା ପ୍ରତିବାଦରେ ଓଡ଼ିଶା ଅଭିଭାବକ ମହାସଂଘ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଛି। ଆସନ୍ତା ଅଗଷ୍ଟ ୧୭ ତାରିଖରୁ ରାଜଧାନୀ ଭୁବନେଶ୍ୱରସ୍ଥିତ ଲୋୟର ପିଏମ୍ଜି ଠାରେ ମହାସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆମରଣ ଅନଶନ କରାଯିବ ବୋଲି ଘୋଷଣା କରାଯାଇଛି।
ଏକ ସାମ୍ବାଦିକ ସମ୍ମିଳନୀରେ ମହାସଂଘର ସଭାପତି ବାସୁଦେବ ଭଟ୍ଟ କହିଛନ୍ତି ଯେ, ସ୍କୁଲ ଛାତ୍ରଛାତ୍ରୀଙ୍କୁ ଭୁଲ୍ ତଥ୍ୟ ଭରା ପାଠ୍ୟପୁସ୍ତକ ପଢ଼ାଯାଉଛି, ଯାହା ସେମାନଙ୍କ ଆଗାମୀ ଭବିଷ୍ୟତକୁ ଅନ୍ଧକାର ଆଡ଼କୁ ନେଇଯାଉଛି। ଭୁଲ୍ ତଥ୍ୟ ପଢ଼ି ପିଲାମାନେ କି ପ୍ରକାର ଶିକ୍ଷା ଲାଭ କରିବେ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। “ଯେପର୍ଯ୍ୟନ୍ତ ଏହି ଭୁଲ୍ ପାଠ୍ୟପୁସ୍ତକଗୁଡ଼ିକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରାନଯାଇଛି, ସେପର୍ଯ୍ୟନ୍ତ ଆମର ଆନ୍ଦୋଳନ ଅଧିକ ତୀବ୍ର ହେବ,” ବୋଲି ସେ ଦୃଢ଼ ଚେତାବନୀ ଦେଇଛନ୍ତି।
ପ୍ରଥମରୁ ଅଷ୍ଟମ ଶ୍ରେଣୀର ନୂତନ ପାଠ୍ୟପୁସ୍ତକରେ ୧,୬୦୦ରୁ ଅଧିକ ଭୁଲ୍ ଚିହ୍ନଟ ହେବା ପରେ ଏହି ବିବାଦ ଉଗ୍ର ରୂପ ନେଇଥିଲା। ଉନ୍ନୟନ କମିଶନର ଡି.କେ. ସିଂହଙ୍କ ନେତୃତ୍ୱରେ ଗଠିତ ଉଚ୍ଚସ୍ତରୀୟ କମିଟିର ତଦନ୍ତ ରିପୋର୍ଟ ପରେ ରାଜ୍ୟ ସରକାର SCERT ର ପୂର୍ବତନ ନିର୍ଦ୍ଦେଶକ ମନୋଜ କୁମାର ପାଢ଼ୀ ଏବଂ ୩ ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବିତ କରିଥିଲେ। ପରବର୍ତ୍ତୀ ସମୟରେ ମନୋଜ ପାଢ଼ୀଙ୍କୁ ଜେସ ପଚରାଉଚୁରା ପରେ କ୍ରାଇମବ୍ରାଞ୍ଚ ଗିରଫ କରିଛି।
ଏଥିସହିତ ଅନ୍ୟ ୬ ଜଣ ସହକାରୀ ନିର୍ଦ୍ଦେଶକଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଡିଏସ୍ପି ନରେନ୍ଦ୍ର କୁମାର ବେହେରାଙ୍କ ନେତୃତ୍ୱରେ ଗଠିତ ଏସଆଇଟି (SIT) ଏହି ବ୍ୟାପକ ଅନିୟମିତତାର ତଦନ୍ତ କରୁଛି।
ଅଭିଭାବକ ମହାସଂଘ ଦାବି କରିଛି ଯେ, ଏହା କେବଳ ପ୍ରଶାସନିକ ଅବହେଳାର ପ୍ରଶ୍ନ ନୁହେଁ, ବରଂ କୋଟି କୋଟି କୋମଳମତି ପିଲାଙ୍କ ଭବିଷ୍ୟତ ଓ ଶିକ୍ଷାର ଗୁଣବତ୍ତା ସହ ଜଡ଼ିତ। ଏହି ଅନଶନ ଘୋଷଣା ପରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଓ ସରକାରଙ୍କ ଦାୟିତ୍ୱବୋଧତା ଉପରେ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।




