ଭୁବନେଶ୍ୱର: ସୀମାନ୍ତ କୋଟିଆ ପ୍ରସଙ୍ଗକୁ ନେଇ ଓଡ଼ିଶା ସରକାରଙ୍କ ତତ୍ପରତା ପ୍ରକାଶ ପାଇଛି। ରାଜ୍ୟର ସ୍ୱାର୍ଥ ରକ୍ଷା ଏବଂ କୋଟିଆରେ ଓଡ଼ିଶାର ଅଧିକାରକୁ ସୁଦୃଢ଼ କରିବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ରାଜ୍ୟ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଏବଂ ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ନିକଟରେ ଆନ୍ଧ୍ରପ୍ରଦେଶ ସରକାର ଓଡ଼ିଶାର କୋରାପୁଟ ଜିଲ୍ଲା ଅନ୍ତର୍ଗତ କୋଟିଆ ପଞ୍ଚାୟତର କେତେକ ଗ୍ରାମରେ ପଞ୍ଚାୟତ ନିର୍ବାଚନ କରାଇବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହି ଘଟଣା ସମ୍ପର୍କରେ ଅବଗତ ହେବା ମାତ୍ରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୀମାନ୍ତ ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିବାକୁ ଜିଲ୍ଲା ଓ ଆଞ୍ଚଳିକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ସୋପାନଗତ ଭାବେ କୋଟିଆ ଅଞ୍ଚଳରେ ଶାନ୍ତି, ଶୃଙ୍ଖଳା ଓ ଓଡ଼ିଶାର ସାର୍ବଭୌମତ୍ୱ ବଜାୟ ରଖିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ ଦୋହରାଇଛନ୍ତି।
ବୈଠକରେ ମୁଖ୍ୟତଃ ଆଇନଗତ ଆଭିମୁଖ୍ୟ ଉପରେ ବ୍ୟାପକ ଚର୍ଚ୍ଚା କରାଯାଇଛି:
- ଉଚିତ ଆଇନଗତ ପଦକ୍ଷେପ: ସର୍ବୋଚ୍ଚ ଅଦାଲତ (ଉଚ୍ଚତମ ନ୍ୟାୟାଳୟ) ରହିଥିବା ସ୍ଥିତାବସ୍ଥା ନିର୍ଦ୍ଦେଶକୁ ଆନ୍ଧ୍ରପ୍ରଦେଶ ସରକାର ଉଲ୍ଲଂଘନ କରୁଥିବାରୁ, ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ କୋର୍ଟରେ କିପରି ଦୃଢ଼ ଆଇନଗତ ପଦକ୍ଷେପ ନିଆଯିବ, ସେ ନେଇ ମନ୍ତ୍ରୀ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟଙ୍କ ଆଇନଗତ ପରାମର୍ଶ ଲୋଡ଼ିଛନ୍ତି।
- ଆଇନ ପ୍ରକ୍ରିୟାର ତ୍ୱରାନ୍ୱିତ: ବିବାଦର ସ୍ଥାୟୀ ଓ ନିରପେକ୍ଷ ସମାଧାନ ପାଇଁ ଆବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ଆଗାମୀ ଦିନରେ ଅଧିକ ତ୍ୱରାନ୍ୱିତ କରାଯିବ।
- ଉପସ୍ଥିତି ମଜବୁତ୍: ସୀମାନ୍ତ ଆଞ୍ଚଳିକ ବିକାଶ ସହ କୋଟିଆରେ ଓଡ଼ିଶା ପ୍ରଶାସନର ପ୍ରତ୍ୟକ୍ଷ ଓ ସକ୍ରିୟ ଉପସ୍ଥିତିକୁ ଆହୁରି ସୁଦୃଢ଼ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କୋଟିଆବାସୀଙ୍କୁ ସମସ୍ତ ମୌଳିକ ସୁବିଧା ଯୋଗାଇଦେବା ସହ କୌଣସି ବି ପରିସ୍ଥିତିରେ ଆନ୍ଧ୍ରପ୍ରଦେଶର ଅନୁପ୍ରବେଶ ବା ବେଆଇନ୍ ନିର୍ବାଚନି ପ୍ରକ୍ରିୟାକୁ ପ୍ରଶ୍ରୟ ଦିଆଯିବ ନାହିଁ।




