ଭୁବନେଶ୍ୱର: ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍‌ (SIR) ପ୍ରକ୍ରିୟାରେ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଯୋଗ୍ୟ ନାଗରିକ ଏବଂ ପ୍ରଥମ ଥର ଭୋଟ ଦେବାକୁ ଯୋଗ୍ୟ ଯୁବପିଢ଼ିଙ୍କ ପାଇଁ ଓଡ଼ିଶାରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବ। ଅକ୍ଟୋବର ୭, ୮ ଓ ୯ ତାରିଖରେ ରାଜ୍ୟବ୍ୟାପୀ ଏହି ଅଭିଯାନ ଚାଲିବ। ଏହା ମାଧ୍ୟମରେ ଭୋଟର ତାଲିକାରେ ନାମ ନଥିବା ଯୋଗ୍ୟ ନାଗରିକ ପୁଣି ନାମ ଯୋଡ଼ିବାର ସୁଯୋଗ ପାଇବେ।

ବିଶେଷକରି ୨୦୨୬ ଅକ୍ଟୋବର ୧ ସୁଦ୍ଧା ୧୮ ବର୍ଷ ବୟସ ପୂରଣ କରିଥିବା ଯୁବକ-ଯୁବତୀ ଏହି ଅଭିଯାନରେ ଭୋଟର ତାଲିକାରେ ନାମ ପଞ୍ଜୀକରଣ ପାଇଁ ଆବେଦନ କରିପାରିବେ। ଏଥିପାଇଁ ଫର୍ମ-୬ ଦାଖଲ କରିବାକୁ ହେବ। ଆବେଦନକାରୀ ନିଜ ଅଞ୍ଚଳର ବୁଥ୍‌ ଲେଭଲ୍‌ ଅଫିସର୍‌ (BLO)ଙ୍କ ସହ ଯୋଗାଯୋଗ କରି ଆବଶ୍ୟକ ସହାୟତା ନେଇପାରିବେ।

SIRରେ ନାମ ବାଦ୍ ପଡ଼ିଥିଲେ ପୁଣି ସୁଯୋଗ

SIR ପ୍ରକ୍ରିୟା ସମୟରେ ଯେଉଁ ଯୋଗ୍ୟ ଭୋଟରଙ୍କ ନାମ ଚୂଡ଼ାନ୍ତ ଭୋଟର ତାଲିକାରେ ସାମିଲ ହୋଇପାରିନାହିଁ, ସେମାନେ ମଧ୍ୟ ଏହି ବିଶେଷ ଅଭିଯାନରେ ଆବେଦନ କରିପାରିବେ। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ, ଯୋଗ୍ୟ କୌଣସି ଭୋଟର ଭୋଟର ତାଲିକାରୁ ବାଦ୍ ପଡ଼ି ରହିବା ଉଚିତ୍‌ ନୁହେଁ। SIR ସମୟରେ ମୃତ, ସ୍ଥାନାନ୍ତରିତ, ଅନୁପସ୍ଥିତ ଓ ଡୁପ୍ଲିକେଟ୍‌ ଭୋଟରଙ୍କ ତାଲିକା ପ୍ରସ୍ତୁତ ହୋଇଥିଲା। ଏହି ତାଲିକାକୁ ସମ୍ପୃକ୍ତ ଜିଲ୍ଲା ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବ୍‌ସାଇଟ୍‌ରେ ଉପଲବ୍ଧ କରାଯିବ। ତାଲିକାରେ ଭୁଲ୍‌ବଶତଃ କୌଣସି ଯୋଗ୍ୟ ଭୋଟରଙ୍କ ନାମ ବାଦ୍ ପଡ଼ିଥିଲେ ଦାବି ଓ ଆପତ୍ତି ଦାଖଲ କରିବାର ସୁଯୋଗ ରହିବ।

BLOଙ୍କୁ ଦିଆଯାଇଛି ତାଲିମ

ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟର ଓ ନୂଆ ଯୁବ ଭୋଟରଙ୍କ ନାମ ଯୋଡ଼ିବା ପ୍ରକ୍ରିୟା ସୁଗମ କରିବା ପାଇଁ ଜିଲ୍ଲାସ୍ତରରେ BLOମାନଙ୍କୁ ଆବଶ୍ୟକ ତାଲିମ ଦିଆଯାଇଛି। ଯୋଗ୍ୟ ନାଗରିକଙ୍କୁ ଫର୍ମ-୬ ପୂରଣ ଓ ଆବେଦନ ପ୍ରକ୍ରିୟାରେ ସହଯୋଗ କରିବାକୁ ସେମାନଙ୍କୁ ନିର୍ଦ୍ଦେଶ ରହିଛି।

ନିର୍ବାଚନ କମିଶନଙ୍କ ଅନୁସାରେ, ଭୋଟର ପଞ୍ଜୀକରଣ ଏକ ନିରନ୍ତର ପ୍ରକ୍ରିୟା। SIR ସରିଯାଇଥିଲେ ମଧ୍ୟ ନୂଆ ଯୋଗ୍ୟ ଭୋଟର କିମ୍ବା ତାଲିକାରୁ ବାଦ୍ ପଡ଼ିଥିବା ବ୍ୟକ୍ତି ନିର୍ଦ୍ଧାରିତ ପ୍ରକ୍ରିୟାରେ ନାମ ପଞ୍ଜୀକରଣ ପାଇଁ ଆବେଦନ କରିପାରିବେ।