ଭୁବନେଶ୍ୱର: ରାଜ୍ୟ ସରକାର ବାତ୍ୟା ‘ଅକ୍‌ଭାନ୍’କୁ ସଫଳତାର ସହ ମୁକାବିଲା କରିଛନ୍ତି। ବର୍ତ୍ତମାନ ରାଜ୍ୟରେ ପରିସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ରହିଥିବା ବେଳେ କ୍ଷୟକ୍ଷତିର ଆକଳନ ଏବଂ ପୁନରୁଦ୍ଧାର କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି ବୋଲି ଶନିବାର ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱର ସ୍ଥିତ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲ ସ୍ଥିତି, କ୍ଷୟକ୍ଷତି ଆକଳନ ଏବଂ ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ ଗଣମାଧ୍ୟମକୁ ବିସ୍ତୃତ ତଥ୍ୟ ପ୍ରଦାନ କରିଛନ୍ତି।

ଏସଆରସି କହିଛନ୍ତି ଯେ ସମ୍ଭାବ୍ୟ ବାତ୍ୟା ‘ଅକ୍‌ଭାନ୍’ ଏବଂ ପ୍ରବଳ ବର୍ଷାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ସତର୍କତା ଓ ଆଗୁଆ ପ୍ରସ୍ତୁତି ଗ୍ରହଣ କରାଯାଇଥିଲା। ପ୍ରାରମ୍ଭରେ ବାତ୍ୟା ଆନ୍ଧ୍ରପ୍ରଦେଶ ଆଡ଼କୁ ଗତି କରୁଥିବା ବେଳେ ନଭେମ୍ବର ୧୮ ତାରିଖରେ ଏହା ହଠାତ୍ ନିଜର ଗତିପଥ ପରିବର୍ତ୍ତନ କରି ଓଡ଼ିଶା ମୁହାଁ ହୋଇଥିଲା। ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଧାନ୍ୟ ଦେଇ ପ୍ରଶାସନ ପକ୍ଷରୁ ତୁରନ୍ତ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଥିଲା। ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲା ଯଥା ଗଞ୍ଜାମ, ଗଜପତି, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁରରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ମାତ୍ର ୨୪ ଘଣ୍ଟା ମଧ୍ୟରେ ବିପୁଳ ସଂଖ୍ୟକ ଲୋକଙ୍କୁ ସ୍ଥାନାନ୍ତର କରିବା ଏକ ବଡ଼ ଆହ୍ୱାନ ଥିଲେ ମଧ୍ୟ ସମସ୍ତଙ୍କ ମିଳିତ ପ୍ରଚେଷ୍ଟାରେ ଏହା ସଫଳ ହୋଇପାରିଛି। ମୁଖ୍ୟମନ୍ତ୍ରୀ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଏକ ଟିମ୍ ସ୍ପିରିଟ୍ ନେଇ କାର୍ଯ୍ୟ କରିଥିଲେ। ଗଣମାଧ୍ୟମ ଜରିଆରେ ଠିକ୍ ସମୟରେ ସଠିକ୍ ସତର୍କ ସୂଚନା ଲୋକଙ୍କ ନିକଟରେ ପହଞ୍ଚିଥିବାରୁ ବଡ଼ ଧରଣର କ୍ଷୟକ୍ଷତି ଏଡ଼ାଇ ଦିଆଯାଇପାରିଛି ବୋଲି ଏସଆରସି ପ୍ରକାଶ କରିଛନ୍ତି।

ଆକଳନ କରାଯାଇଥିବା ପ୍ରଭାବ ତୁଳନାରେ ବାତ୍ୟାର ପ୍ରଭାବ ବହୁତ କମ୍ ରହିଛି। ବର୍ତ୍ତମାନ ଏହା ଓଡ଼ିଶା ଉପରେ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇଥିଲେ ମଧ୍ୟ କୌଣସି ସ୍ଥାନରେ ଚିନ୍ତାଜନକ ପରିସ୍ଥିତି ନାହିଁ। ଅଧିକାଂଶ ସ୍ଥାନରେ ୫୦ ମିଲିମିଟରରୁ କମ୍ ବର୍ଷା ରେକର୍ଡ କରାଯାଇଛି। ବର୍ଷା ଯୋଗୁଁ କିଛି ସ୍ଥାନରେ ଜଳବନ୍ଦୀ ସମସ୍ୟା ଦେଖାଦେଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ଏହାର ସମାଧାନ କରାଯାଇଛି।

ଆଜିର ତଥ୍ୟ ଅନୁଯାୟୀ, କଟକ ଜିଲ୍ଲାରେ ହାରାହାରି ୫୩.୫ ମିଲିମିଟର ଏବଂ କେନ୍ଦ୍ରାପଡ଼ାରେ ୫୧.୬ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେହିପରି ଖୋର୍ଦ୍ଧାରେ ୩୦.୭ ମିଲିମିଟର, ପୁରୀରେ ୨୪.୪ ମିଲିମିଟର ଏବଂ ଗଞ୍ଜାମ ଜିଲ୍ଲାରେ ହାରାହାରି ୨୩.୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଗଜପତି ଜିଲ୍ଲାରେ ସର୍ବନିମ୍ନ ହାରାହାରି ୧.୨ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ବର୍ଷା ହୋଇଛି। ପ୍ରଭାବିତ ଅଞ୍ଚଳରେ ଫସଲ କ୍ଷୟକ୍ଷତିର ଆକଳନ ଖୁବ୍ ଶୀଘ୍ର କରାଯାଇ ସରକାରୀ ନିୟମ ଅନୁଯାୟୀ କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇ ଦିଆଯିବ। ଏଥିସହିତ ଭୂସ୍ଖଳନ ଓ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ଏକ ଦୀର୍ଘମିଆଦୀ ରଣନୀତି ପ୍ରସ୍ତୁତ କରୁଛନ୍ତି। ଏହି ବିପର୍ଯ୍ୟୟ ପରିଚାଳନାରେ ସହଯୋଗ କରିଥିବା ସମସ୍ତ ଗଣମାଧ୍ୟମ ପ୍ରତିନିଧି, ପ୍ରଶାସନିକ ଅଧିକାରୀ ଏବଂ ସାଧାରଣ ଜନତାଙ୍କୁ ରାଜ୍ୟ ସରକାର କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି।