ଭୁବନେଶ୍ୱର: ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଜୋରଦାର ହେବାରେ ଲାଗିଛି। ଏହି ସଂକ୍ରାନ୍ତରେ ଆଜି ଓଡ଼ିଶା ରାଜ୍ୟ ନିର୍ବାଚନ ଆୟୋଗଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଏହି ବୈଠକ କରାଯିବ।
ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନର ପ୍ରସ୍ତୁତିକୁ ଅଧିକ ତ୍ୱରାନ୍ୱିତ ଏବଂ ସୁସଂଗଠିତ କରିବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ। ବୈଠକରେ ବିଶେଷ କରି ଭୋଟର ତାଲିକା ସଂଶୋଧନ ଓ ଅଦ୍ୟତନ, ମତଦାନ କେନ୍ଦ୍ର ଗୁଡ଼ିକର ସ୍ଥିତି ଓ ଭିତ୍ତିଭୂମି ଯାଞ୍ଚ, ନିର୍ବାଚନୀ କର୍ମଚାରୀଙ୍କ ନିୟୋଜନ ଏବଂ ଆବଶ୍ୟକୀୟ ଲଜିଷ୍ଟିକ୍ ବ୍ୟବସ୍ଥା ନେଇ ବିସ୍ତୃତ ଆଲୋଚନା କରାଯିବ।
ଏହା ସହିତ ନିର୍ବାଚନକୁ ସମ୍ପୂର୍ଣ୍ଣ ଅବାଧ, ନିରପେକ୍ଷ, ଓ ସ୍ୱଚ୍ଛ ଭାବେ ପରିଚାଳନା କରିବା ପାଇଁ ଆୟୋଗଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଆବଶ୍ୟକୀୟ ଦିଗନିର୍ଦ୍ଦେଶ ଦିଆଯିବ। ପ୍ରତ୍ୟେକ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ହୋଇଥିବା ପ୍ରସ୍ତୁତିର ସମୀକ୍ଷା କରିବା ସହ ଆଗାମୀ ଦିନର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ। ରାଜ୍ୟରେ ସାଧାରଣ ନିର୍ବାଚନୀ ବାତାବରଣ ପ୍ରସ୍ତୁତ କରିବା ଦିଗରେ ଏହି ବୈଠକକୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି।




