ଭୁବନେଶ୍ୱର: ଓଡ଼ିଶା-ପଶ୍ଚିମବଙ୍ଗ-ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଥିବାରୁ ଜୁଲାଇ ୨୨ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ପାଣିପାଗ ବିଶେଷଜ୍ଞ ଡକ୍ଟର ଶରତ ସାହୁଙ୍କ ସୂଚନା ଅନୁଯାୟୀ, ଏହି ଘୂର୍ଣ୍ଣିବଳୟ ଜୁଲାଇ ୨୪ ବାହୁଡ଼ା ଯାତ୍ରା ବେଳକୁ ଅଧିକ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇପାରେ।

ଏହାର ପ୍ରଭାବରେ ବାହୁଡ଼ା ଯାତ୍ରା ଦିନ ପୁରୀରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଜୁଲାଇ ୨୨ରୁ ହିଁ ସାରା ରାଜ୍ୟରେ ବର୍ଷା ବୃଦ୍ଧି ପାଇବ। ବିଶେଷ କରି ଉତ୍ତର ଓଡ଼ିଶାରେ ଭାରି ବର୍ଷା ହେବାକୁ ଥିବାବେଳେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ମଧ୍ୟ ଭଲ ବର୍ଷା ହେବ।

ଡକ୍ଟର ସାହୁ ଆହୁରି କହିଛନ୍ତି ଯେ, ଜୁଲାଇ ୨୭ରୁ ୩୦ ମଧ୍ୟରେ ଅନ୍ୟ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ, ଯାହାଫଳରେ ମାସ ଶେଷ ପର୍ଯ୍ୟନ୍ତ ବର୍ଷା ଜାରି ରହିବ। ବର୍ତ୍ତମାନ ମୌସୁମୀ ନିମ୍ନଚାପ ରେଖା ସକ୍ରିୟ ଥିବାରୁ ଏହା ବର୍ଷା ପ୍ରକୋପକୁ ଆହୁରି ବଢ଼ାଇବ। କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ୧୦୦ ମିମି ପର୍ଯ୍ୟନ୍ତ ଭାରିରୁ ଅତି ଭାରି ବର୍ଷା ହୋଇପାରେ।

ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଜୁଲାଇ ୨୨ ଓ ୨୩ ତାରିଖରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ଭାରି ବର୍ଷା ସମ୍ଭାବନା ଥିବାବେଳେ ଉପକୂଳ ଓ ଦକ୍ଷିଣ ଓଡ଼ିଶାର କେତେକ ଭାଗରେ ମଧ୍ୟ ବର୍ଷା ହୋଇପାରେ।

ସୂଚନାଯୋଗ୍ୟ, ସୋମବାର ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଭଲ ବର୍ଷା ରେକର୍ଡ କରାଯାଇଛି। କେନ୍ଦୁଝରରେ ୩୦.୬ ମିମି, ଟିଟିଲାଗଡ଼ରେ ୧୭ ମିମି ଏବଂ ପାରାଦୀପରେ ୨୫.୪ ମିମି ବର୍ଷା ହୋଇଥିବା ଜଣାପଡ଼ିଛି।