ସୁନ୍ଦରଗଡ଼, ୧୦ ଅକ୍ଟୋବର: ଆୟର ଜଣାଶୁଣା ଉତ୍ସ ତୁଳନାରେ ୨୦୪ ପ୍ରତିଶତ ଅଧିକ ସମ୍ପତ୍ତି ଠାବ ହେବା ଅଭିଯୋଗରେ ସୁନ୍ଦରଗଡ଼ର ମୃତ୍ତିକା ସଂରକ୍ଷଣ ବିଭାଗର ଉପନିର୍ଦ୍ଦେଶକ ତଥା ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରସନ୍ନ କୁମାର ପାତ୍ରଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ତାଙ୍କ ସମ୍ପତ୍ତିର ହିସାବ ଯାଞ୍ଚ ବେଳେ ଭୁବନେଶ୍ୱରରେ ଏକାଧିକ କୋଠା, ଫ୍ଲାଟ୍, ଜମି ଓ ବିପୁଳ ବ୍ୟାଙ୍କ ଜମାର ସନ୍ଧାନ ମିଳିଛି।

ଚଢ଼ାଉରେ ମିଳିଲା ବିପୁଳ ସମ୍ପତ୍ତି

ଭିଜିଲାନ୍ସର ସୂଚନା ଅନୁଯାୟୀ, ତଦନ୍ତ ସମୟରେ ପ୍ରସନ୍ନ କୁମାର ପାତ୍ରଙ୍କ ସହ ସମ୍ପୃକ୍ତ ନିମ୍ନଲିଖିତ ସମ୍ପତ୍ତି ଠାବ ହୋଇଛି:- ଭୁବନେଶ୍ୱରରେ ୪ଟି ବହୁତଳ କୋଠା- ନୟାପଲ୍ଲୀ ଅଞ୍ଚଳରେ ଗୋଟିଏ ୩-ବିଏଚ୍‌କେ ଫ୍ଲାଟ୍‌- ଭୁବନେଶ୍ୱର ଉପକଣ୍ଠରେ ୭ଟି ମୂଲ୍ୟବାନ ପ୍ଲଟ୍‌- ବ୍ୟାଙ୍କ ଜମା ଓ ନିବେଶ ପ୍ରାୟ ୧ କୋଟି ୪୬ ଲକ୍ଷ ଟଙ୍କା- ପ୍ରାୟ ୨୧୨ ଗ୍ରାମ୍‌ ସୁନା ଅଳଙ୍କାର- ନଗଦ ୧ ଲକ୍ଷ ୨୯ ହଜାର ୫୦୦ ଟଙ୍କା- ୩ଟି ଦୁଇଚକିଆ ଯାନ- ପ୍ରାୟ ୭.୭୨ ଲକ୍ଷ ଟଙ୍କା ମୂଲ୍ୟର ଘରୋଇ ସାମଗ୍ରୀଏହା ବ୍ୟତୀତ ଭୁବନେଶ୍ୱରରେ ଆଉ ଏକ ଫ୍ଲାଟ୍‌ କିଣିବା ପାଇଁ ଜଣେ ବିକ୍ରେତାଙ୍କୁ ୨୯.୫୦ ଲକ୍ଷ ଟଙ୍କା ଅଗ୍ରିମ ଦିଆଯାଇଥିବା ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି।

ସନ୍ତୋଷଜନକ ହିସାବ ଦେଇପାରିଲେନି

ଭିଜିଲାନ୍ସର ଅଭିଯୋଗ ଅନୁଯାୟୀ, ଠାବ ହୋଇଥିବା ସମ୍ପତ୍ତିର ଉତ୍ସ ସମ୍ପର୍କରେ ପ୍ରସନ୍ନ କୁମାର ପାତ୍ର ସନ୍ତୋଷଜନକ ହିସାବ ଦେଇପାରିନଥିଲେ। ଏହା ପରେ ତାଙ୍କୁ ଗିରଫ କରାଯାଇ ସୁନ୍ଦରଗଡ଼ର ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କ ଅଦାଲତକୁ ପଠାଯାଇଛି।

ଏହି ଘଟଣାରେ ରାଉରକେଲା ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଛି। ସମ୍ପତ୍ତିର ମୂଲ୍ୟ ଓ ଏହାର ଆୟ ଉତ୍ସ ସମ୍ପର୍କରେ ତଦନ୍ତ ଜାରି ରହିଛି।