ବାରିପଦା: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ସୋମବାର ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମୟୂରଭଞ୍ଜ ଜିଲ୍ଲା ବେତନଟୀ ରାସ୍ତା ଓ ଗୃହ ନିର୍ମାଣ (R&B) ଉପ-ଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ଅରବିନ୍ଦ ମହାନ୍ତିଙ୍କ ସମ୍ପୃକ୍ତ ୧୦ଟି ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକାସାଙ୍ଗରେ ଚଢ଼ାଉ ଜାରି ରହିଛି।
ବାରିପଦା ବିଶେଷ ଭିଜିଲାନ୍ସ ଅଦାଲତଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉ କରାଯାଉଛି। ଏହି ଅଭିଯାନରେ ୫ ଜଣ ଡିଏସପି (DSP), ୮ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ମୟୂରଭଞ୍ଜ, ବାଲେଶ୍ୱର ଏବଂ ଖୋର୍ଦ୍ଧା ଜିଲ୍ଲାରେ ବ୍ୟାପକ ଯାଞ୍ଚ ପ୍ରକ୍ରିୟା ଚଳାଇଛନ୍ତି।
ଯାଞ୍ଚ ଚାଲିଥିବା ପ୍ରମୁଖ ସ୍ଥାନଗୁଡ଼ିକ:
- ବାଲେଶ୍ୱର:ଅଙ୍ଗାରଗଡ଼ିଆ ସ୍ଥିତ ୩ ମହଲା କୋଠା, ବସନ୍ତପୁର ସ୍ଥିତ ଫାର୍ମହାଉସ୍, ବାମପଦା ସ୍ଥିତ ବାସଭବନ ଏବଂ ଜଳେଶ୍ୱର ରାୟଣ-ରାମଚନ୍ଦ୍ରପୁର ସ୍ଥିତ ପୈତୃକ ଘର।
- ଖୋର୍ଦ୍ଧା: ବାଲିଅନ୍ତା ସ୍ଥିତ ଦୁଇମହଲା କୋଠା।
- ମୟୂରଭଞ୍ଜ: ବେତନଟୀ ସ୍ଥିତ ସରକାରୀ କାର୍ଯ୍ୟାଳୟ ଏବଂ ବାସଭବନ।
- ସହଯୋଗୀଙ୍କ ବାସଭବନ:ଏହାସହ ଅଙ୍ଗାରଗଡ଼ିଆ, ବୈଶିଙ୍ଗା ଏବଂ ବାମପଦାରେ ଥିବା ତାଙ୍କର ୩ ଜଣ ନିକଟତର ସହଯୋଗୀଙ୍କ ଘରେ ମଧ୍ୟ ଯାଞ୍ଚ ଚାଲିଛି।
ଏହି ଚଢ଼ାଉ ସମୟରେ ଯନ୍ତ୍ରୀ ଅରବିନ୍ଦ ମହାନ୍ତିଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି, ବ୍ୟାଙ୍କ ଆକାଉଣ୍ଟ, ସୁନାଗହଣା ଏବଂ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରର ଯାଞ୍ଚ କରାଯାଉଛି। ଚଢ଼ାଉ ଶେଷ ହେବା ପରେ ମୋଟ ଆୟବହିର୍ଭୂତ ସମ୍ପତ୍ତିର ପରିମାଣ ସ୍ପଷ୍ଟ ହେବ ବୋଲି ଭିଜିଲାନ୍ସ ସୂତ୍ରରୁ ପ୍ରକାଶ।




