ଭୋଗରାଇ: ଆନ୍ଧ୍ରପ୍ରଦେଶ ସହ କୋଟିଆ ସୀମା ବିବାଦକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ଥିବା ଭୋଗରାଇ ବ୍ଲକର ଶଙ୍ଖାମେଦି ଗ୍ରାମକୁ ନେଇ ବିବାଦ ତେଜିଛି। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ୮୯ ବର୍ଷ ବିତିଯାଇଥିଲେ ସୁଦ୍ଧା ସୀମାନ୍ତ ଗାଁ ଶଙ୍ଖାମେଦି ଏବେ ପଶ୍ଚିମବଙ୍ଗ କବ୍ଜାକୁ ଚାଲିଯିବା ଭଳି ସ୍ଥିତି ସୃଷ୍ଟି ହୋଇଛି।
ଚଳିତ ବର୍ଷ ସରକାରଙ୍କ ପକ୍ଷରୁ ହୋଇଥିବା ଏସଆଇଆର (SIR) ଭୋଟର ସଂଶୋଧନ ସର୍ଭେ ଅନୁଯାୟୀ, ଶଙ୍ଖାମେଦି ଗ୍ରାମର ୨୬୮ ଜଣ ଓଡ଼ିଆ ଭୋଟର ଏବେ ପଶ୍ଚିମବଙ୍ଗ ହାତକୁ ଚାଲିଯାଇଛନ୍ତି।ଏହି ସମ୍ବେଦନଶୀଳ ଘଟଣାକୁ ନେଇ ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ ଉଦ୍ବେଗ ପ୍ରକାଶ କରିଛନ୍ତି। ସେ ରାଜ୍ୟ ରାଜସ୍ୱ ମନ୍ତ୍ରୀଙ୍କୁ ଭେଟି ଉକ୍ତ ଗାଁକୁ ଓଡ଼ିଶାରେ ସାମିଲ ରଖିବା ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି।
ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନଲିଆ ପଞ୍ଚାୟତର ଶଙ୍ଖାମେଦି ଗ୍ରାମକୁ ଭୋଟର ସଂଶୋଧନ ପାଇଁ ବିଏଲଓ (BLO) ଯାଇଥିବା ବେଳେ ଗ୍ରାମବାସୀ ସେମାନଙ୍କୁ ବିରୋଧ କରି ଫେରାଇ ଦେଇଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘ ୪୦ ବର୍ଷରୁ ଅଧିକ ସମୟ ହେବ ଓଡ଼ିଶା ସରକାର ସେମାନଙ୍କୁ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର କିମ୍ବା ଜମିର ଖଜଣା ରସିଦ ଦେଉନାହାନ୍ତି। ଏପରିକି ଚାଲିଥିବା ଜନଗଣନାରେ ମଧ୍ୟ ସେମାନଙ୍କ ଗାଁକୁ ସାମିଲ କରାଯାଇ ନାହିଁ। ଯାହାଫଳରେ ପିଲାମାନଙ୍କ ଉଚ୍ଚଶିକ୍ଷା ପାଇଁ ଜାତିଗତ ପ୍ରମାଣପତ୍ର ମିଳୁନାହିଁ ଏବଂ ସରକାରୀ ଆବାସ ଯୋଜନାରୁ ସେମାନେ ବଞ୍ଚିତ ହେଉଛନ୍ତି। ସେମାନଙ୍କ ସ୍ପଷ୍ଟ ଦାବି ଯେ, ଓଡ଼ିଶା ସରକାର ପ୍ରଥମେ ସେମାନଙ୍କୁ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ଦିଅନ୍ତୁ ଏବଂ ଜନଗଣନା କରନ୍ତୁ, ଏହାପରେ ହିଁ ସେମାନେ SIR ସର୍ଭେରେ ସାମିଲ ହେବେ।
ଶଙ୍ଖାମେଦି ଗ୍ରାମରୁ ୧୯୨୭ରୁ ୧୯୮୦ ମସିହା ପର୍ଯ୍ୟନ୍ତ ଓଡ଼ିଶା ସରକାର ରାଜସ୍ୱ ଆଦାୟ କରୁଥିଲେ, କିନ୍ତୁ ବିଭିନ୍ନ କାରଣରୁ ୧୯୭୮ ମସିହାରୁ ଏହା ପ୍ରକାରାନ୍ତରେ ବନ୍ଦ ରହିଛି। ଏହାର ସୁଯୋଗ ନେଇ ପଶ୍ଚିମବଙ୍ଗ ସରକାର ଏହି ଗାଁକୁ ନିଜ ପୂର୍ବ ମେଦିନୀପୁର ଜିଲ୍ଲା ରାମନଗର ବ୍ଲକ ଅଧୀନକୁ ନେବାକୁ ଉଦ୍ୟମ ଚଳାଇଛନ୍ତି।
ଆଶ୍ଚର୍ଯ୍ୟର କଥା ହେଉଛି, ଓଡ଼ିଶା ସରକାର ଏହି ଗ୍ରାମରେ ପ୍ରାଥମିକ ସ୍କୁଲ, ଓଡ଼ିଆ ଶିକ୍ଷକ, ରାସ୍ତା, ବିଜୁଳି ଓ ରାଶନ କାର୍ଡ ଯୋଗାଇ ଦେଇଛନ୍ତି। ଅପରପକ୍ଷରେ, ପଶ୍ଚିମବଙ୍ଗ ସରକାର ମଧ୍ୟ ସେଠାରେ ନିଜର ଆବାସ ଯୋଜନା ଓ ମୌଳିକ ସୁବିଧା ଦେଉଛନ୍ତି। ଏହି କାରଣରୁ ଗ୍ରାମବାସୀଙ୍କ ପାଖରେ ଉଭୟ ରାଜ୍ୟର ଆଧାର କାର୍ଡ ଓ ଭୋଟର କାର୍ଡ ରହିଛି। ସେମାନେ ଓଡ଼ିଆ ସ୍କୁଲରେ ପଢୁଥିଲେ ମଧ୍ୟ ଜମି ପଟ୍ଟା ନଥିବାରୁ ଜାତିଗତ ପ୍ରମାଣପତ୍ର ପାଇପାରୁ ନାହାନ୍ତି, ଯାହା ସେମାନଙ୍କ ଭବିଷ୍ୟତକୁ ଅନ୍ଧକାର ଆଡ଼କୁ ଠେଲି ଦେଉଛି। ରାଜ୍ୟ ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ ନକଲେ ଶଙ୍ଖାମେଦି ଗାଁ ଓଡ଼ିଶାର ଭୌଗୋଳିକ ମାନଚିତ୍ରରୁ ସଦାଦିନ ପାଇଁ ହଜିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି।




