ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତିରେ ପୁଣି ବିଶୃଙ୍ଖଳା ଦେଖାଦେଇଛି। ଗତକାଲି ସାବିତ୍ରୀ ଅମାବାସ୍ୟା ଓ ସାଗର ବିଜେ ନୀତି ସହ ଭିତର ଚନ୍ଦନ ଯାତ୍ରାର ଜଳକ୍ରୀଡ଼ା ଥିବାବେଳେ, ଶ୍ରୀଜିଉଙ୍କ ନୀତିକାନ୍ତି ଅହେତୁକ ବିଳମ୍ବ ହୋଇଛି। ଫଳରେ ଗତକାଲି ମହାପ୍ରଭୁ ରାତିସାରା ଅନିଦ୍ରା ରହିଛନ୍ତି ଏବଂ ତାଙ୍କର ରାତ୍ର ପହୁଡ଼ ନୀତି ହୋଇପାରି ନାହିଁ।
କେଉଁ ସମୟରେ ହେଲା କେଉଁ ନୀତି?
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ସମୟ ସୂଚୀ ଧାର୍ଯ୍ୟ କରାଯାଇଥିଲେ ମଧ୍ୟ ସେଥିରେ ବ୍ୟାପକ ବିଳମ୍ବ ଦେଖିବାକୁ ମିଳିଥିଲା:
୧. ରାତି ୮ଟା ୫: ଜଳକ୍ରୀଡ଼ା ସାରି ଶ୍ରୀମନ୍ଦିରକୁ ବିଜେ କରିଥିଲେ ମଦନ ମୋହନ, ଶ୍ରୀଦେବୀ ଓ ଭୂଦେବୀ।
୨. ଜଳକ୍ରୀଡ଼ା ପରେ: ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ଅନୁଷ୍ଠିତ ହୋଇଥିଲା।
୩. ରାତି ୧୨ଟା ୩୦: ଏହି ସମୟରେ ମହାପ୍ରଭୁଙ୍କ ସନ୍ଧ୍ୟା ଧୂପ ନୀତି ସମ୍ପନ୍ନ ହୋଇଥିଲା।
୪. ଭୋର ୪ଟା ୨୪: ପଣା ଭୋଗ ଓ ଚନ୍ଦନ ଲାଗି ଶେଷ ହେବା ପରେ ବଡ଼ ସିଂହାର ବେଶ ଓ ଭୋଗ ହେଉ ହେଉ ଭୋର ୪ଟା ୨୪ ହୋଇଯାଇଥିଲା।
ବଡ଼ ସିଂହାର ନୀତି ସରିବା ବେଳକୁ ସକାଳ ହୋଇଯାଇଥିବାରୁ ମହାପ୍ରଭୁଙ୍କ ରାତ୍ର ପହୁଡ଼ ନୀତି କରାଯାଇ ନାହିଁ। ଆଗକୁ ନୀତି ତ୍ୱରାନ୍ୱିତ କରିବା ପାଇଁ ସେହିପରି ସ୍ଥିତିରେ ସିଧାସଳଖ ମଙ୍ଗଳ ଆଳତୀ ନୀତି ବଢ଼ାଯାଇଛି।
ସୂଚନାଯୋଗ୍ୟ ଯେ, ବାହାର ଚନ୍ଦନ ଯାତ୍ରା ସମୟରେ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଉପରେ କେତେ ସେବକ ରହିବେ, ତାକୁ ନେଇ କିଛି ଦିନ ହେବ ସେବକମାନଙ୍କ ମଧ୍ୟରେ ବିଶୃଙ୍ଖଳା ଓ ମତଭେଦ ଦେଖାଦେଇଥିଲା। ଏହାର ପ୍ରଭାବ ଏବେ ଭିତର ଚନ୍ଦନ ଯାତ୍ରା ନୀତି ଉପରେ ମଧ୍ୟ ପଡ଼ୁଥିବା ଦେଖାଯାଉଛି।ବିଗତ ୪ ଦିନ ହେବ ଶ୍ରୀମନ୍ଦିରରେ ନୀତି ବିଳମ୍ବ ଯୋଗୁଁ ରାତି ପ୍ରାୟ ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ପହୁଡ଼ ହେଉଥିଲା। ମାତ୍ର ଗତକାଲି ଏହି ବିଶୃଙ୍ଖଳା ଚରମ ସୀମାରେ ପହଞ୍ଚିଛି, ଯାହାଫଳରେ ମହାପ୍ରଭୁଙ୍କୁ ସାରା ରାତି ଉଜାଗର ରହିବାକୁ ପଡ଼ିଛି। ଏହାକୁ ନେଇ ଜଗନ୍ନାଥ ପ୍ରେମୀ ଓ ଭକ୍ତ ମହଲରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି।




