ପୁରୀ/ଭୁବନେଶ୍ୱର: ଐତିହ୍ୟଗ୍ରାମ ରଘୁରାଜପୁରର ସମନ୍ୱିତ ପର୍ଯ୍ୟଟନ ବିକାଶ ପାଇଁ ୨୩ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ରକଳ୍ପର ଭିତ୍ତିପ୍ରସ୍ତର ମଙ୍ଗଳବାର ସ୍ଥାପନ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ଏହି ଅବସରରେ ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି, “ରଘୁରାଜପୁର ହେଉଛି ଓଡ଼ିଶାର କଳା ଓ ସଂସ୍କୃତିର ପ୍ରାଣକେନ୍ଦ୍ର।” ଏହି ପ୍ରକଳ୍ପ ରଘୁରାଜପୁରର ପର୍ଯ୍ୟଟନ ବିକାଶରେ ଏକ ନୂଆ ଅଧ୍ୟାୟର ଶୁଭାରମ୍ଭ କରିବ ବୋଲି ସେ କହିଛନ୍ତି।

ରଘୁରାଜପୁରର ପ୍ରସିଦ୍ଧ ପଟ୍ଟଚିତ୍ର, ଗୋଟିପୁଅ ନୃତ୍ୟ ଓ ସମୃଦ୍ଧ କଳା-ପରମ୍ପରାକୁ ବିଶ୍ୱସ୍ତରରେ ପହଞ୍ଚାଇବା ସହ ଏହି ଗ୍ରାମକୁ ଏକ ପ୍ରମୁଖ ଐତିହ୍ୟ ଓ ସାଂସ୍କୃତିକ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବା ସରକାରଙ୍କ ଲକ୍ଷ୍ୟ ବୋଲି ମନ୍ତ୍ରୀ କହିଛନ୍ତି।

ଭିତ୍ତିଭୂମିଠାରୁ ପର୍ଯ୍ୟଟକ ସୁବିଧା ପର୍ଯ୍ୟନ୍ତ

ସମନ୍ୱିତ ବିକାଶ ଯୋଜନା ଅଧୀନରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨୩ କୋଟି ଟଙ୍କା ବ୍ୟୟ କରାଯିବ। ଏହି ଅର୍ଥରେ ଗ୍ରାମର ଭିତ୍ତିଭୂମିର ଉନ୍ନତୀକରଣ ସହ କଳାକାରଙ୍କ ପାଇଁ ଆବଶ୍ୟକ ସୁବିଧା ଏବଂ ପର୍ଯ୍ୟଟକଙ୍କ ପାଇଁ ଉନ୍ନତ ସେବା ବିକଶିତ କରାଯିବ।

ଏଥିସହ ରଘୁରାଜପୁରର ପଟ୍ଟଚିତ୍ର, ଗୋଟିପୁଅ, କାଠଖୋଦେଇ ଓ ମୃଣ୍ମୟ ଶିଳ୍ପର ପ୍ରଚାର ଓ ପ୍ରସାର ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ। ଦେଶ ଓ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କୁ ରଘୁରାଜପୁରରେ ବିଶ୍ୱସ୍ତରୀୟ ସୁବିଧା ଯୋଗାଇବା ଏହି ପ୍ରକଳ୍ପର ଅନ୍ୟତମ ମୁଖ୍ୟ ଲକ୍ଷ୍ୟ।

ସରକାରଙ୍କ ଏହି ପଦକ୍ଷେପ ରଘୁରାଜପୁରର କଳାକାରଙ୍କୁ ନୂଆ ସୁଯୋଗ ଦେବା ସହ ଓଡ଼ିଶାର କଳା ଓ ସଂସ୍କୃତିକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି।