ଭୁବନେଶ୍ୱର: ଓଡ଼ିଶାରୁ ଆଗାମୀ ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଆଜି ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଦେବାଶିଷ ନିର୍ଦ୍ଧାରିତ କାର୍ଯ୍ୟାଳୟରେ ତିନି ସେଟ୍ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ତାଙ୍କୁ ସମର୍ଥନ ଜଣାଇବା ପାଇଁ ବହୁ ସଂଖ୍ୟାରେ ବିଜେପିର ବରିଷ୍ଠ ନେତା ଉପସ୍ଥିତ ଥିଲେ। ନାମାଙ୍କନ ଦାଖଲ ସମୟରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ମନ୍ତ୍ରୀ ସୁରେଶ ପୂଜାରୀ, ଡାକ୍ତର ମୁକେଶ ମହାଲିଙ୍ଗ, କୃଷ୍ଣ ଚନ୍ଦ୍ର ପାତ୍ର ଏବଂ ବିଧାୟକ ଆକାଶ ଦାସନାୟକଙ୍କ ସମେତ ଅନ୍ୟ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ।

ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ଦେବାଶିଷ ସାମନ୍ତରାୟ ଦଳର ରାଜ୍ୟ କାର୍ଯ୍ୟାଳୟରେ ବିଜେପିର ବରିଷ୍ଠ ନେତାମାନଙ୍କୁ ଭେଟି ଆଲୋଚନା କରିଥିଲେ।

ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, “ଦେବାଶିଷ ସାମନ୍ତରାୟ ଦଳରେ ଯୋଗଦେବା ପରେ ବିଜେପିର ଶକ୍ତି ଯଥେଷ୍ଟ ବୃଦ୍ଧି ପାଇଛି। ଆଗାମୀ ଦିନରେ ଅନ୍ୟ କିଛି ନେତା ମଧ୍ୟ ଦଳରେ ସାମିଲ ହେବେ।”

ବିଜେପି ଟିକେଟ୍ ପାଇବା ପରେ ଦେବାଶିଷ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି, “ବିଜେପି ମୋ ଉପରେ ଆସ୍ଥା ପ୍ରକଟ କରିଛି। ରାଜ୍ୟର ବିକାଶ ପାଇଁ ଯାହା କିଛି ଆବଶ୍ୟକ, ମୁଁ ସେସବୁ କରିବି।”