ଚେନ୍ନାଇ: ତାମିଲନାଡୁ ରାଜନୀତିରେ ଏକ ବଡ଼ ପରିବର୍ତ୍ତନର ସଙ୍କେତ ଦେଇ ପୂର୍ବତନ ବିଜେପି ନେତା K. Annamalai ନିଜର ନୂଆ ରାଜନୈତିକ ଆନ୍ଦୋଳନ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏହି ଆନ୍ଦୋଳନ ଭବିଷ୍ୟତରେ ଏକ ରାଜନୈତିକ ଦଳରେ ପରିଣତ ହେବ ଏବଂ ତାମିଲନାଡୁର ପରବର୍ତ୍ତୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ।

ଅନ୍ନାମଲାଇ ତାଙ୍କ ନୂଆ ପ୍ଲାଟଫର୍ମର ନାମ ‘Annamalai Makkal Iyakkam (AMI)’ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏହାର ଲକ୍ଷ୍ୟ ପାରିବାରିକ ରାଜନୀତି ଓ ବ୍ୟକ୍ତିପୂଜା ଭିତ୍ତିକ ରାଜନୀତିକୁ ବିକଳ୍ପ ଦେବା ଏବଂ ସାଧାରଣ ଲୋକଙ୍କୁ ରାଜନୈତିକ ପ୍ରକ୍ରିୟାରେ ସକ୍ରିୟ ଭାବେ ସାମିଲ କରିବା।

ଏକ ଭିଡିଓ ବାର୍ତ୍ତାରେ ଅନ୍ନାମଲାଇ କହିଛନ୍ତି ଯେ, “ଆମେ ଏକ ରାଜନୈତିକ ଆନ୍ଦୋଳନ ଆରମ୍ଭ କରୁଛୁ ଏବଂ ପରବର୍ତ୍ତୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେବୁ।” ତାଙ୍କ ଅନୁସାରେ, ରାଜନୀତିରେ ନୂଆ ନେତୃତ୍ୱ ଓ ସାଧାରଣ ଲୋକଙ୍କ ଭାଗୀଦାରୀ ବଢ଼ିବା ଆବଶ୍ୟକ।

ଉଲ୍ଲେଖଯୋଗ୍ୟ ଯେ, ପୂର୍ବତନ ଆଇପିଏସ୍ ଅଧିକାରୀ ଅନ୍ନାମଲାଇ ୨୦୧୯ରେ ଚାକିରି ଛାଡ଼ି ସାମାଜିକ କାର୍ଯ୍ୟକ୍ରମ ଓ ନେତୃତ୍ୱ ବିକାଶ କ୍ଷେତ୍ରରେ କାମ କରୁଥିଲେ। ପରେ ୨୦୨୦ରେ ସେ ବିଜେପିରେ ଯୋଗ ଦେଇଥିଲେ ଏବଂ ଅତ୍ୟନ୍ତ କମ୍ ସମୟରେ ତାମିଲନାଡୁ ବିଜେପିର ମୁଖ୍ୟ ମୁହଁ ଭାବେ ଉଭା ହୋଇଥିଲେ।

ରାଜନୈତିକ ମହଳରେ ଚର୍ଚ୍ଚା ହେଉଛି ଯେ, M. K. Stalinଙ୍କ ନେତୃତ୍ୱାଧୀନ Dravida Munnetra Kazhagam ସରକାର ବିରୋଧରେ ତାଙ୍କ ଆକ୍ରମଣାତ୍ମକ ଅଭିଯାନ ଓ ପଦଯାତ୍ରା ତାଙ୍କୁ ରାଜ୍ୟ ରାଜନୀତିରେ ଏକ ପରିଚିତ ମୁହଁ କରିଥିଲା। ତେବେ ୨୦୨୬ ତାମିଲନାଡୁ ନିର୍ବାଚନକୁ ନେଇ ମେଣ୍ଟ ରାଜନୀତି ପ୍ରସଙ୍ଗରେ ମତଭେଦ ପରେ ସେ ବିଜେପିରୁ ଦୂରେଇଥିବା ଚର୍ଚ୍ଚା ହେଉଛି।