ରାଉରକେଲା: ରାଉରକେଲାରେ ଏକ ଅନ୍ତଃରାଜ୍ୟ ସାଇବର ଠକେଇ ରାକେଟ୍ର ପର୍ଦ୍ଦାଫାସ୍ କରିଛି ସୁନ୍ଦରଗଡ଼ ଜିଲ୍ଲାର ବନ୍ଧମୁଣ୍ଡା ଥାନା ପୁଲିସ। ଏହି ମାମଲାରେ ୨ ଯୁବକଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ଅନ୍ୟମାନଙ୍କ ନାଁରେ ବ୍ୟାଙ୍କ ଖାତା ଖୋଲି ତାହାକୁ ସାଇବର ଠକେଇ ଗ୍ୟାଙ୍ଗକୁ ଯୋଗାଇ ଦେଉଥିବା ପୁଲିସ କହିଛି। ଏହି ଖାତାଗୁଡ଼ିକ ମାଧ୍ୟମରେ ଠକେଇ ଟଙ୍କାର କାରବାର ହେଉଥିଲା।
ଗିରଫ ଅଭିଯୁକ୍ତ ହେଲେ ରାଉରକେଲା ରେଲୱେ କଲୋନିର ଶେଖ ଅମାନ (୨୨) ଓ ନୂଆ ବସଷ୍ଟାଣ୍ଡ ଅଞ୍ଚଳର ଯଶରାଜ ସିଂ (୨୪)। ପୁଲିସ ସେମାନଙ୍କଠାରୁ ଗୋଟିଏ ସ୍କୁଟି, ୨ଟି ମୋବାଇଲ୍ ଫୋନ୍, ଆଧାର କାର୍ଡ, ଏଟିଏମ୍ କାର୍ଡ, ବ୍ୟାଙ୍କ ପାସ୍ବୁକ୍ ସମେତ ବିଭିନ୍ନ ଦଲିଲ ଜବତ କରିଛି। ଉଭୟଙ୍କୁ କୋର୍ଟଚାଲାଣ କରାଯାଇଛି।
ପୁଲିସର ସୂଚନା ଅନୁସାରେ, ଅମାନ ଓ ଯଶରାଜ ପୁରୁଣା ବନ୍ଧୁ। କିଛି ମାସ ପୂର୍ବରୁ ଏକ ଅନ୍ତଃରାଜ୍ୟ ସାଇବର ଠକେଇ ସିଣ୍ଡିକେଟ୍ ସେମାନଙ୍କ ସହ ଯୋଗାଯୋଗ କରିଥିଲା। ମ୍ୟୁଲ୍ ଆକାଉଣ୍ଟ ଖୋଲି ଗ୍ୟାଙ୍ଗକୁ ଦେଲେ ପ୍ରତି ଖାତା ପାଇଁ ୧୫ ହଜାର ଟଙ୍କା ମିଳିବ ବୋଲି ସେମାନଙ୍କୁ ପ୍ରଲୋଭନ ଦିଆଯାଇଥିଲା।
ଏହାପରେ ଦୁଇ ଅଭିଯୁକ୍ତ ସହରର ବିଭିନ୍ନ ଅଞ୍ଚଳରେ ବୁଲି ବେକାର ଯୁବକମାନଙ୍କୁ ଟଙ୍କା ଓ ଚାକିରିର ପ୍ରଲୋଭନ ଦେଇ ସେମାନଙ୍କ ନାଁରେ ବ୍ୟାଙ୍କ ଖାତା ଖୋଲାଉଥିଲେ। ପରେ ଖାତାର ତଥ୍ୟ ଓ ବ୍ୟାଙ୍କ ସମ୍ପର୍କିତ ଦଲିଲ ସାଇବର ଠକଙ୍କୁ ଯୋଗାଇ ଦେଉଥିବା ଅଭିଯୋଗ ରହିଛି। ଏହି ଖାତାଗୁଡ଼ିକୁ ଠକେଇରୁ ଆସୁଥିବା ଟଙ୍କା ଗ୍ରହଣ ଓ ସ୍ଥାନାନ୍ତର ପାଇଁ ବ୍ୟବହାର କରାଯାଉଥିଲା।
ତଦନ୍ତ ସମୟରେ ପୁଲିସ ୨୧ରୁ ଅଧିକ ମ୍ୟୁଲ୍ ଆକାଉଣ୍ଟ ବିକ୍ରି ହୋଇଥିବା ଜାଣିବାକୁ ପାଇଛି। ଏଥିରୁ ୪ଟି ଆକାଉଣ୍ଟର ତଥ୍ୟ ଯାଞ୍ଚ କରିବା ବେଳେ ଜାତୀୟ ସାଇବର ଅପରାଧ ରିପୋର୍ଟ ପୋର୍ଟାଲ୍ରେ ୨୦ରୁ ଅଧିକ ଅଭିଯୋଗ ସହ ସେଗୁଡ଼ିକର ସମ୍ପର୍କ ଥିବା ଜଣାପଡ଼ିଛି। ଏହି ୪ଟି ଖାତା ମାଧ୍ୟମରେ ପ୍ରାୟ ୨୫ ଲକ୍ଷରୁ ଅଧିକ ଟଙ୍କାର ସନ୍ଦିଗ୍ଧ କାରବାର ହୋଇଥିବା ପୁଲିସ କହିଛି।
ପୁଲିସର ଯାଞ୍ଚରେ ଏହି ମାମଲାର ସମ୍ପର୍କ ଦେଶର ୭ଟି ରାଜ୍ୟରେ ରୁଜୁ ହୋଇଥିବା ସାଇବର ଅପରାଧ ମାମଲା ସହ ଥିବା ଜଣାପଡ଼ିଛି। ରାକେଟ୍ରେ ଆଉ କେତେଜଣ ସମ୍ପୃକ୍ତ ଅଛନ୍ତି ଏବଂ ଟଙ୍କା କେଉଁ କେଉଁ ମାର୍ଗରେ ଯାଇଛି, ସେନେଇ ତଦନ୍ତ ଜାରି ରହିଛି।
ରାଉରକେଲା ଏସ୍ପି ନୀତେଶ ୱାଧୱାନୀଙ୍କ ସୂଚନା ଅନୁସାରେ, ଅନ୍ୟ ରାଜ୍ୟରେ ଥିବା ରାକେଟ୍ର ସଦସ୍ୟମାନଙ୍କୁ ଚିହ୍ନଟ କରି ଗିରଫ କରିବା ସହ ଆର୍ଥିକ କାରବାରର ପୂରା ଚେନ୍ ଖୋଜାଯାଉଛି। ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ସାଇବର ଠକେଇ ଟଙ୍କାକୁ ଅନ୍ୟତ୍ର ସ୍ଥାନାନ୍ତର କରି ମନି ଟ୍ରେଲ୍ ଲୁଚାଇବା ଏହିପରି ରାକେଟ୍ର ଏକ ପ୍ରମୁଖ ପଦ୍ଧତି ବୋଲି ପୁଲିସ ତଦନ୍ତରୁ ଜଣାପଡ଼ୁଛି।




