କୁଳିଅଣା: ମୟୂରଭଞ୍ଜ ଜିଲ୍ଲାର ଦେଉଳି ରେଞ୍ଜ ଅନ୍ତର୍ଗତ କୁଳିଅଣା ବନପାଳଙ୍କ ଅଞ୍ଚଳର ଶୁଖୁଆପୋଡ଼ା କାଜୁ ଜଙ୍ଗଲରେ ଏକ ଅସୁସ୍ଥ ମାଈ ହାତୀକୁ ଠାବ କରାଯାଇଛି। ହାତୀଟିର ଡାହାଣ ଗୋଡ଼ ଫୁଲିଥିବାରୁ ତା’ର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତା ବଢ଼ିଛି। ବନ ବିଭାଗର କର୍ମଚାରୀମାନେ ହାତୀଟିର ଗତିବିଧି ଉପରେ ନଜର ରଖିଛନ୍ତି।

ସୂଚନା ଅନୁଯାୟୀ, ରବିବାର ବନପାଳ ଜଗଦୀଶ ସାହୁ ହାତୀଟିକୁ ଠାବ କରି ଉପରିସ୍ଥ ଅଧିକାରୀଙ୍କୁ ଖବର ଦେଇଥିଲେ। ଏହାପରେ ବାରିପଦା ବନଖଣ୍ଡ ଅଧିକାରୀ ଗୋବିନ୍ଦ ବିଶ୍ୱାଳ, ଏସ୍‌ଇଏଫ୍‌ ସେକ୍‌ ମେହେରବାନ ଅଲ୍ଲୀ, ଦେଉଳି ରେଞ୍ଜର ଜଗଦୀଶ ଦାସ ଏବଂ ଏସ୍‌ଟିଏଫ୍‌ର ବନ୍ୟପ୍ରାଣୀ ଚିକିତ୍ସକ ଡାକ୍ତର ଅଭିଳାଷ ଆଚାର୍ଯ୍ୟ ଘଟଣାସ୍ଥଳରେ ପହଞ୍ଚି ହାତୀଟିର ସ୍ଥିତି ଅନୁଧ୍ୟାନ କରିଥିଲେ।

ହାତୀଟି କୌଣସି ଖାଲରେ ପଡ଼ି ଆହତ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି। ତେବେ ଆଘାତର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। ହାତୀଟିର ପ୍ରାଥମିକ ଚିକିତ୍ସା ଓ ପରବର୍ତ୍ତୀ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ବନ ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନାହିଁ।

ଅନ୍ୟପକ୍ଷରେ, ସୋମବାର ଭୋର୍‌ରେ ବାରିପଦା ରେଞ୍ଜର ହଳଦୀବଣି ସେକ୍ସନରୁ ଆସିଥିବା ୧୩ଟି ହାତୀଙ୍କ ଏକ ଦଳ ଧୋବଣିଶୋଳ ବିଟ୍‌ ଅଞ୍ଚଳରେ ପ୍ରବେଶ କରି ଧାନ ଫସଲ ନଷ୍ଟ କରିଛନ୍ତି। ଏହି ଦଳରେ ୨ଟି ଦନ୍ତା, ୫ଟି ମାଈ ହାତୀ ଓ ୬ଟି ଛୁଆ ହାତୀ ରହିଛନ୍ତି। ଅସୁସ୍ଥ ହାତୀଟି ଏହି ଦଳର ଅଂଶ କି ନୁହେଁ, ତାହା ସ୍ପଷ୍ଟ ହୋଇନାହିଁ।

ଘଟଣା ସମ୍ପର୍କରେ ବାରିପଦା ବନଖଣ୍ଡ ଅଧିକାରୀ ପ୍ରଧାନ ମୁଖ୍ୟ ବନ ସଂରକ୍ଷକଙ୍କୁ ଅବଗତ କରାଇଛନ୍ତି।