ସମ୍ବଲପୁର: ସଂସ୍କୃତିର ସହର ସମ୍ବଲପୁରରେ ପ୍ରସିଦ୍ଧ ଶୀତଳଷଷ୍ଠୀ ପର୍ବ ଭକ୍ତି, ଭାବନା ଓ ପରମ୍ପରାର ଅପୂର୍ବ ସମନ୍ୱୟ ମଧ୍ୟରେ ଅନୁଷ୍ଠିତ ହୋଇଛି। ପାହାନ୍ତି ପହରରେ ଦେବାଦିଦେବ ମହାଦେବ ଓ ଜଗତଜନନୀ ମାତା ପାର୍ବତୀଙ୍କ ଲୌକିକ ବିବାହ ସମ୍ପନ୍ନ ହେବା ପରେ ଦେବଦମ୍ପତିଙ୍କ ଯୁଗଳ ଦର୍ଶନ କରି ଭକ୍ତମାନେ ଭାବବିହ୍ବଳ ହୋଇପଡ଼ିଥିଲେ। ଅନେକଙ୍କ ଆଖିରୁ ଭକ୍ତିର ଲୁହ ଝରିଥିଲା।
ପରମ୍ପରା ଅନୁଯାୟୀ ସାକ୍ଷୀ ଗୋପୀନାଥଙ୍କୁ ସାକ୍ଷୀ ରଖି ମହାଦେବ ଓ ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଥିଲା। ଦେବଦେବୀ, ଭକ୍ତ ଓ ଅଗଣିତ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ବାହାବେଦୀରେ ହାତଗଣ୍ଠି ପଡ଼ିଥିଲା। ବିବାହ ପରେ ମଣ୍ଡପରେ ଦେବଦମ୍ପତିଙ୍କ ଦର୍ଶନ କରିବା ପାଇଁ ଭକ୍ତମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା।
ସନ୍ଧ୍ୟାରେ କନ୍ୟା ବିଦାୟ ପରମ୍ପରା ଭାବପ୍ରବଣ ପରିବେଶ ସୃଷ୍ଟି କରିଥିଲା। ମାତା ପାର୍ବତୀଙ୍କୁ ମହାଦେବଙ୍କ ସହ ବିଦାୟ ଦେବା ବେଳେ କନ୍ୟାପକ୍ଷ ଓ ପରିଜନମାନଙ୍କ ଆଖି ଲୁହରେ ଭିଜିଯାଇଥିଲା। ମାନବୀୟ ବିବାହର ଭାବନାକୁ ସ୍ପର୍ଶ କରୁଥିବା ଏହି ଦୃଶ୍ୟ ଉପସ୍ଥିତ ଭକ୍ତମାନଙ୍କୁ ଆବେଗପ୍ରବଣ କରିଥିଲା।
ପରେ ମହାଦେବ ନିଜ ପାଟପଟୁଆ ସହ ମାତା ପାର୍ବତୀଙ୍କୁ ନେଇ ମନ୍ଦିରକୁ ବାହୁଡ଼ିଥିଲେ। ସେଠାରେ ଦେବଦମ୍ପତିଙ୍କୁ ସ୍ୱର୍ଣ୍ଣ ଓ ରୌପ୍ୟ ଆଭୂଷଣରେ ସୁସଜ୍ଜିତ କରାଯାଇଥିଲା। ମହାଆଳତି ପରେ ମଧ୍ୟରାତ୍ରିରେ ଆରମ୍ଭ ହୋଇଥିଲା ମୁଖ୍ୟ ନଗର ପରିକ୍ରମା ଶୋଭାଯାତ୍ରା।
ନଗର ପରିକ୍ରମାରେ ନନ୍ଦପଡ଼ା, ଝାଡୁଆପଡ଼ା, ମୁଦିପଡ଼ା, ବଡ଼ବଜାର ଓ ଠାକୁରପଡ଼ାର ବିଭିନ୍ନ ଦେବାଳୟରୁ ସୁସଜ୍ଜିତ ପରଭା ଓ ବିମାନ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିଲା। ନନ୍ଦପଡ଼ା ଓ ଝାଡୁଆପଡ଼ାର ରୂପା ମୁଖ ପରଭା ଦର୍ଶକଙ୍କ ବିଶେଷ ଦୃଷ୍ଟି ଆକର୍ଷଣ କରିଥିଲା।
ଏଥର ଯାତ୍ରାରେ ୧୦ ହଜାରରୁ ଅଧିକ କଳାକାର ଯୋଗଦେଇ ବିଭିନ୍ନ ନୃତ୍ୟ, ବାଦ୍ୟ, ସାଂସ୍କୃତିକ ପରିବେଷଣ ଓ ପ୍ରଜ୍ଞାପନ ମେଢ଼ ମାଧ୍ୟମରେ ଶୋଭାଯାତ୍ରାକୁ ଆକର୍ଷଣୀୟ କରିଥିଲେ। ପୁଷ୍ପକ ରଥ, ସୌର୍ଯ୍ୟରଥ, ଗରୁଡ଼ ରଥ, ରାଧାକୃଷ୍ଣ ଓ ହନୁମାନ ମେଢ଼ ଦର୍ଶକଙ୍କ ମନ ଜିତିଥିଲା।
ଦେବଦମ୍ପତିଙ୍କ ଯୁଗଳ ଦର୍ଶନ ପାଇଁ ପ୍ରାୟ ଦୁଇ ଲକ୍ଷ ଶ୍ରଦ୍ଧାଳୁ ସମ୍ବଲପୁରରେ ସମାଗମ କରିଥିବା ଆକଳନ କରାଯାଇଛି। ଦେଶ ଓ ବିଦେଶରୁ ଆସିଥିବା କଳାକାର ଏବଂ ଭକ୍ତମାନଙ୍କ ଉପସ୍ଥିତିରେ ଶୀତଳଷଷ୍ଠୀ ଉତ୍ସବ ଭକ୍ତି ଓ ସଂସ୍କୃତିର ଏକ ବିଶାଳ ମହୋତ୍ସବରେ ପରିଣତ ହୋଇଥିଲା।
ଶୋଭାଯାତ୍ରାର ସୁରକ୍ଷା ପାଇଁ ୮୦ ପ୍ଲାଟୁନ୍ ପୁଲିସ ମୁତୟନ ସହ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର, ଅଗ୍ନିଶମ ଟିମ୍ ଓ ଜଳଛତ୍ର ବ୍ୟବସ୍ଥା କରାଯାଇଥିଲା।




