ଭୁବନେଶ୍ୱର: ଓଡ଼ିଶାର ବରଗଡ଼ ଜିଲ୍ଲାର ଝିଅ ତନିଷା ଅଗ୍ରୱାଲ ଏକ ନୂଆ ଇତିହାସ ରଚନା କରିଛନ୍ତି। ସେ ବରଗଡ଼ ଜିଲ୍ଲାର ପ୍ରଥମ ମହିଳା ଭାବେ କମର୍ସିଆଲ ପାଇଲଟ୍ ଲାଇସେନ୍ସ ହାସଲ କରି ଆକାଶ ଛୁଇଁବାର ସ୍ୱପ୍ନକୁ ସାକାର କରିଛନ୍ତି। ବିଦ୍ୟାଳୟ ଶିକ୍ଷା ଶେଷ ପରେ ନିଜ ପାଇଁ ଏକ ସଠିକ୍ କ୍ୟାରିୟର୍ ଖୋଜୁ ଖୋଜୁ ସେ ପାଇଲଟ୍ ହେବାର ନିଷ୍ପତ୍ତି ନେଇଥିଲେ, ଯାହା ଆଜି ତାଙ୍କୁ ବିମାନର କକ୍ପିଟ୍ ଯାଏଁ ପହଞ୍ଚାଇ ପାରିଛି।
ତନିଷାଙ୍କ ପାଇଁ ପାଇଲଟ୍ ହେବା ପ୍ରାରମ୍ଭରୁ କୌଣସି ପୂର୍ବ ନିର୍ଦ୍ଧାରିତ ଯୋଜନା ନଥିଲା। ଦ୍ୱାଦଶ ଶ୍ରେଣୀ ପଢ଼ା ସରିବା ପରେ ସେ ବିଭିନ୍ନ କ୍ୟାରିୟର୍ ବିକଳ୍ପ ବିଷୟରେ ଜାଣିବାକୁ ଚେଷ୍ଟା କରୁଥିବା ସମୟରେ କମର୍ସିଆଲ ପାଇଲଟିଂ ବିଷୟରେ ଜାଣିବାକୁ ପାଇଥିଲେ। ଏହି କ୍ଷେତ୍ର ବିଷୟରେ ଅଧିକ ଗବେଷଣା ଓ ଅଧ୍ୟୟନ କରିବା ପରେ, ସେ ଏହାକୁ ହିଁ ନିଜର ଭବିଷ୍ୟତ ଭାବେ ବାଛିନେଇଥିଲେ।
“ମୁଁ ଏହି କ୍ଷେତ୍ର ବିଷୟରେ ଯେତିକି ଅଧିକ ଜାଣିଲି, ମୋର ଆଗ୍ରହ ସେତିକି ବଢ଼ିବାକୁ ଲାଗିଲା। ଏହାପରେ ମୁଁ +୨ ପଢ଼ା ପରେ ଏହି ପାଠପଢ଼ା ଆଗକୁ ବଢ଼ାଇବାକୁ ନିଷ୍ପତ୍ତି ନେଇଥିଲି,” ବୋଲି ତନିଷା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି।
୨୦୨୧ ମସିହାରେ ଦ୍ୱାଦଶ ଶ୍ରେଣୀ ଶେଷ କରିବା ପରେ ୨୦୨୨ରୁ ସେ ପାଇଲଟ୍ ଟ୍ରେନିଂ ଆରମ୍ଭ କରିଥିଲେ। ଭାରତରେ ପ୍ରାରମ୍ଭିକ ଥିଓରୀ ପରୀକ୍ଷାଗୁଡ଼ିକ ସଫଳତାର ସହ ଉତ୍ତୀର୍ଣ୍ଣ ହେବା ପରେ, ସେ ପ୍ରାକ୍ଟିକାଲ୍ ଫ୍ଲାଇଂ ଟ୍ରେନିଂ ପାଇଁ ଆମେରିକାର କାଲିଫୋର୍ଣ୍ଣିଆ ଯାଇଥିଲେ। ସେଠାରେ ପ୍ରାୟ ଦେଢ଼ ବର୍ଷ ସମୟ ବିତାଇ କ୍ଷୁଦ୍ର ବିମାନ ଉଡ଼ାଇବାର କୌଶଳ ଶିଖିବା ସହ ଆବଶ୍ୟକୀୟ ଫ୍ଲାଇଂ ଆୱାର୍ସ ପୂରଣ କରିଥିଲେ।ଭାରତ ଫେରିବା ପରେ ଡିଜିସିଏ ପକ୍ଷରୁ ତାଙ୍କୁ CPL ପ୍ରଦାନ କରାଯାଇଛି।
ତନିଷାଙ୍କ ପାଇଁ ଏହି ଲାଇସେନ୍ସ ମିଳିବା ଚୂଡ଼ାନ୍ତ ଲକ୍ଷ୍ୟ ନୁହେଁ। ସେ ଏବେ ଜଣାଶୁଣା ବିମାନ ସେବା ସଂସ୍ଥା ‘ଇଣ୍ଡିଗୋ’ ସହିତ ଏୟାରବସ୍ ଟ୍ରେନିଂ ନେବାକୁ ପ୍ରସ୍ତୁତ ହେଉଛନ୍ତି। ସେ କହିଛନ୍ତି ଯେ, ଟ୍ରେନିଂ ସମୟରେ ଛୋଟ ବିମାନ ଉଡ଼ାଇବା ପରେ ଏବେ ଏକ ବଡ଼ କମର୍ସିଆଲ ବିମାନ ନିୟନ୍ତ୍ରଣ କରିବା ତାଙ୍କ ପାଇଁ ଏକ ନୂଆ ଆହ୍ୱାନ ହେବ।
ନିଜର ଏହି କଠିନ ଯାତ୍ରାରେ ତାଙ୍କ ବାପା-ମା’ ସବୁବେଳେ ସବୁଠାରୁ ବଡ଼ ସାହାସ ଓ ପ୍ରେରଣାର ଉତ୍ସ ଥିଲେ ବୋଲି ତନିଷା ପ୍ରକାଶ କରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ବରଗଡ଼ ଜିଲ୍ଲା ସମେତ ପୁରା ଓଡ଼ିଶାରେ ଖୁସିର ଲହରୀ ଖେଳିଯାଇଛି। କେବଳ ପୁଅମାନଙ୍କ ପାଇଁ କୌଣସି ଲକ୍ଷ୍ୟ ସୀମିତ ନୁହେଁ, ବରଂ ନିଷ୍ଠା ଓ ପରିଶ୍ରମ ଥିଲେ ଝିଅମାନେ ମଧ୍ୟ ଯେକୌଣସି କ୍ଷେତ୍ରରେ ସଫଳତା ପାଇପାରିବେ ବୋଲି ସେ ଅନ୍ୟ ଯୁବତୀମାନଙ୍କୁ ସନ୍ଦେଶ ଦେଇଛନ୍ତି।




