ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲାରେ ପୁଣି ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ବିଷମକଟକ-ଥେରୁବାଲି ରେଳପଥରେ ଟ୍ରେନ୍‌ ଧକ୍କାରେ ଏକ ହାତୀର ମୃତ୍ୟୁ ଘଟିଛି। ବୁଧବାର ରାତିରେ ଏହି ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି।

ସୂତ୍ରରୁ ପ୍ରକାଶ ଯେ, ରେଳ ଲାଇନ୍‌ ଅତିକ୍ରମ କରୁଥିବା ସମୟରେ ଏକ ଟ୍ରେନ୍‌ ଇଞ୍ଜିନ୍‌ ସହ ହାତୀଟିର ସୀଧାସଳଖ ଧକ୍କା ହୋଇଥିଲା। ଧକ୍କା ଏତେ ତୀବ୍ର ଥିଲା ଯେ ହାତୀଟି ରେଳଧାରଣାରୁ ପ୍ରାୟ ୩ ମିଟର ଦୂରକୁ ଛିଟିକି ପଡ଼ିଥିଲା। ଘଟଣା ସମ୍ପର୍କରେ ଖବର ପାଇବା ପରେ ରେଳବାଇ ପୁଲିସ (GRP) ଏବଂ ବନ ବିଭାଗର ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହାସହ ଏକ ସ୍ୱତନ୍ତ୍ର ହାତୀ ସ୍କ୍ୱାଡ୍‌ ମଧ୍ୟ ସ୍ଥିତି ଅନୁଧ୍ୟାନ ପାଇଁ ଘଟଣାସ୍ଥଳରେ ଉପସ୍ଥିତ ରହିଛି।

ହାତୀର ମୃତଦେହଟି ରେଳଧାରଣାର ମୁଖ୍ୟ ଟ୍ରାକ୍‌ ଉପରେ ପଡ଼ି ନରହି ନିକଟସ୍ଥ ଏକ ଗଡ଼ାଣିଆ ସ୍ଥାନରେ ପଡ଼ିଥିବାରୁ ଏହି ରୁଟ୍‌ରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇନାହିଁ। ତେବେ ଉକ୍ତ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଥିବାରୁ ଉଦ୍ଧାର କାର୍ଯ୍ୟ ଏବଂ ପୋଷ୍ଟମୋର୍ଟମ୍‌ ପ୍ରକ୍ରିୟାରେ କିଛିଟା ବିଳମ୍ବ ଘଟିଛି।

ସେସପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ବନ ବିଭାଗ ଓ ରେଳବାଇର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହି ଆବଶ୍ୟକୀୟ ଆଇନଗତ ପ୍ରକ୍ରିୟା ଓ ତଦନ୍ତ ଜାରି ରଖିଛନ୍ତି।