ଚେନ୍ନାଇ: ତାମିଲନାଡ଼ୁରେ ସରକାର ଗଠନକୁ ନେଇ ଚାଲିଥିବା ଅନିଶ୍ଚିତତାର ଅବସାନ ଘଟିଛି। ବିଦୁଥଲାଇ ଚିରୁଥାଇଗାଲ କାଚି (ଭିସିକେ) ଶନିବାର ଅଭିନେତା ସି. ଯୋଶେଫ ବିଜୟଙ୍କ ଦଳ ତାମିଲାଗା ଭେଟ୍ଟ୍ରି କାଝାଗମ୍‌ (ଟିଭିକେ)କୁ ନିଃସର୍ତ୍ତ ସମର୍ଥନ ଘୋଷଣା କରିଛି। ଏହା ସହିତ ଟିଭିକେର ପ୍ରଥମ ସରକାର ଗଠନ ଓ ବିଜୟଙ୍କ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ପାଇଁ ପଥ ପରିଷ୍କାର ହୋଇଛି।

ତିନିଦିନ ଧରି ଚାଲିଥିବା ଲଗାତାର ଆଲୋଚନା ପରେ ଭିସିକେ ପକ୍ଷରୁ ଏହି ସମର୍ଥନ ଘୋଷଣା କରାଯାଇଛି। ଦଳର ଦୁଇଜଣ ବିଧାୟକ ଟିଭିକେକୁ ସମର୍ଥନ ଦେବେ ବୋଲି ଜଣାପଡ଼ିଛି। ଏହାଫଳରେ ୨୩୪ ସଦସ୍ୟ ବିଶିଷ୍ଟ ତାମିଲନାଡ଼ୁ ବିଧାନସଭାରେ ବିଜୟଙ୍କ ଦଳ ମ୍ୟାଜିକ୍ ସଂଖ୍ୟା ୧୧୮ରେ ପହଞ୍ଚିପାରିଛି।

ଏହା ପୂର୍ବରୁ ଟିଭିକେକୁ କଂଗ୍ରେସ, ସିପିଆଇ ଓ ସିପିଏମ୍‌ର ସମର୍ଥନ ମିଳିଥିଲେ ମଧ୍ୟ ସଂଖ୍ୟାଗରିଷ୍ଠତା ହାସଲ ହୋଇନଥିଲା। ଏହି କାରଣରୁ ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକର ବିଜୟଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ ଦେଇନଥିଲେ।

ବିଜୟ ଗତ ତିନି ଦିନ ମଧ୍ୟରେ ତିନିଥର ରାଜ୍ୟପାଳଙ୍କୁ ଭେଟିଥିଲେ। ତେବେ ରାଜ୍ୟପାଳ ସଂଖ୍ୟାଗରିଷ୍ଠତାର ଲିଖିତ ପ୍ରମାଣ ଦେବାକୁ କହିଥିଲେ। ଏବେ ଭିସିକେର ସମର୍ଥନ ମିଳିବା ପରେ ଟିଭିକେ ପକ୍ଷରୁ ସରକାର ଗଠନ ଦାବି ଆହୁରି ମଜବୁତ ହୋଇଛି।

ରାଜନୈତିକ ମହଳର ମତ ଅନୁସାରେ, ଏହି ସମର୍ଥନ ତାମିଲନାଡ଼ୁର ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିଛି ଏବଂ ବିଜୟଙ୍କ ରାଜନୈତିକ ଭବିଷ୍ୟତକୁ ଆହୁରି ମଜବୁତ କରିଛି।