ଭୁବନେଶ୍ୱର: ଜାପାନର Kakamigahara ଠାରେ ଚାଲିଥିବା Women’s Under-18 Hockey Asia Cup ର ସେମିଫାଇନାଲ୍‌ରେ ଭାରତୀୟ ଦଳ କଡ଼ା ଲଢ଼େଇ ସତ୍ତ୍ୱେ ଚୀନ୍‌ଠାରୁ ସୁଟ୍‌ଆଉଟ୍‌ରେ ପରାସ୍ତ ହୋଇଛି। ନିର୍ଦ୍ଧାରିତ ସମୟରେ ମ୍ୟାଚ୍‌ ୨-୨ ଗୋଲ୍‌ରେ ସମାନ ରହିଥିଲା। କିନ୍ତୁ ସୁଟ୍‌ଆଉଟ୍‌ରେ ଭାରତ ୧-୩ରେ ପଛରେ ପଡ଼ି ଫାଇନାଲ୍‌ରୁ ବାହାରିଯାଇଛି।

ମ୍ୟାଚ୍‌ର ପ୍ରଥମ କ୍ୱାର୍ଟରରେ ଭାରତ ଆକ୍ରମଣାତ୍ମକ ଆରମ୍ଭ କରିଥିଲା। ତୃତୀୟ ମିନିଟ୍‌ରେ ଓଡ଼ିଶାର ଅଧିନାୟିକା Sweeti Kujurଙ୍କ ଦମଦାର ପାସ୍‌କୁ Nousheen Naz ଗୋଲ୍‌ରେ ପରିଣତ କରି ଭାରତକୁ ୧-୦ରେ ଆଗୁଆ କରିଥିଲେ।

ତେବେ ୨୧ତମ ମିନିଟ୍‌ରେ ଚୀନ୍‌କୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଲି ଜି ୟାନ୍‌ ଗୋଲ୍‌ରେ ପରିଣତ କରି ସ୍ଥିତି ସମାନ କରିଥିଲେ। ପରେ ତୃତୀୟ କ୍ୱାର୍ଟରରେ ଚୀନ୍‌ ଆଉ ଏକ ଗୋଲ୍‌ କରି ୨-୧ରେ ଆଗୁଆ ହୋଇଥିଲା।

କିନ୍ତୁ ଶେଷ କ୍ୱାର୍ଟରରେ ଓଡ଼ିଶାର ଆଉ ଜଣେ ଖେଳାଳି Kiran Ekka ଗୋଲ୍‌ କରି ଭାରତକୁ ପୁଣି ମ୍ୟାଚ୍‌କୁ ଫେରାଇ ଆଣିଥିଲେ। ଫଳରେ ନିର୍ଦ୍ଧାରିତ ସମୟରେ ମ୍ୟାଚ୍‌ ୨-୨ରେ ଶେଷ ହୋଇଥିଲା।

ସୁଟ୍‌ଆଉଟ୍‌ରେ ଭାରତ ହାରିଯାଇଥିବାରୁ ଏବେ ଶନିବାର କାଂସ୍ୟ ପଦକ ପାଇଁ South Korea ସହ ମୁହାଁମୁହିଁ ହେବ। ଅନ୍ୟପଟେ ଫାଇନାଲ୍‌ରେ ଚୀନ୍‌ର ମୁକାବିଲା ଜାପାନ ସହ ହେବ।