ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା ଭାରତର ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ସୋମବାର ଦିଲ୍ଲୀର ଆପୋଲୋ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ଛାତିରେ ସଂକ୍ରମଣ ଯୋଗୁଁ ଅକ୍ଟୋବର ୧୬ ତାରିଖରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହୋଇଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।

୯୮ ବର୍ଷୀୟ ଆଡଭାନୀ ହସ୍ପିଟାଲରେ ନ୍ୟୁରୋଲୋଜି ବିଭାଗର ବରିଷ୍ଠ ପରାମର୍ଶଦାତା ଡାକ୍ତର ବିନୀତ ସୁରୀଙ୍କ ତତ୍ତ୍ୱାବଧାନରେ ଚିକିତ୍ସିତ ହେଉଥିଲେ। ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବା ପରେ ଡିସଚାର୍ଜ କରାଯାଇଥିବା ହସ୍ପିଟାଲର ବିବୃତିରେ ଉଲ୍ଲେଖ ରହିଛି।

ଆଡଭାନୀ ଭାରତୀୟ ରାଜନୀତିର ଜଣେ ପ୍ରମୁଖ ନେତା। ସେ ତିନିଥର ବିଜେପିର ଜାତୀୟ ସଭାପତି ହେବା ସହ ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ କେନ୍ଦ୍ର ଗୃହମନ୍ତ୍ରୀ ଏବଂ ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ଦେଶର ଉପପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ। ୨୦୨୪ରେ ତାଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ ପ୍ରଦାନ କରାଯାଇଥିଲା।