ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିଜ ମା’ ସୋନିଆ ଗାନ୍ଧୀ ଓ ବାପା ରାଜୀବ ଗାନ୍ଧୀଙ୍କ ପ୍ରେମ କାହାଣୀ ସହ ଜଡ଼ିତ ଏକ ରୋଚକ ସ୍ମୃତି ସାର୍ବଜନୀନ କରିଛନ୍ତି। ସୋନିଆ ଗାନ୍ଧୀଙ୍କ ନୂଆ ପୁସ୍ତକ ‘Belonging: A Journey of Love’ର ଉନ୍ମୋଚନ ଉତ୍ସବରେ ସେ କହିଥିଲେ, ଦିନେ ସେ ନିଜ ଗର୍ଲଫ୍ରେଣ୍ଡଙ୍କୁ କେମ୍ବ୍ରିଜ୍‌ର ସେହି ରେଷ୍ଟୁରାଣ୍ଟକୁ ନେଇଥିଲେ, ଯେଉଁଠାରେ ତାଙ୍କ ବାପାମା’ଙ୍କ ପ୍ରଥମ ସାକ୍ଷାତ ହୋଇଥିଲା।

ରାହୁଲ କହିଥିଲେ, ତାଙ୍କ ବାପାମା’ଙ୍କ ପ୍ରଥମ ଦେଖାକୁ ନେଇ ପରିବାରରେ ଅନେକ କାହାଣୀ ଶୁଣିବାକୁ ମିଳୁଥିଲା। ସେହି କାହାଣୀର ମୁଖ୍ୟ ସ୍ଥାନ ଥିଲା କେମ୍ବ୍ରିଜ୍‌ର ‘ଭର୍ସିଟି ରେଷ୍ଟୁରାଣ୍ଟ’। ବହୁ ବର୍ଷ ପରେ ସେ ଯେତେବେଳେ କେମ୍ବ୍ରିଜ୍ ଯାଇଥିଲେ, ନିଜ ଗର୍ଲଫ୍ରେଣ୍ଡଙ୍କୁ ସେଠାକୁ ଯିବା ପାଇଁ କହିଥିଲେ। ତେବେ ଏହି ସ୍ଥାନର ତାଙ୍କ ପରିବାର ସହ ଥିବା ସମ୍ପର୍କ ବିଷୟରେ ଗର୍ଲଫ୍ରେଣ୍ଡ ଆଗରୁ ଜାଣିନଥିଲେ।

ରେଷ୍ଟୁରାଣ୍ଟରେ ପହଞ୍ଚିବା ପରେ ରାହୁଲ ସେଠାକାର ଜଣେ କର୍ମଚାରୀଙ୍କୁ କହିଥିଲେ ଯେ ତାଙ୍କ ବାପାମା’ ଏହିଠାରେ ପ୍ରଥମେ ସାକ୍ଷାତ କରିଥିଲେ। ଏହା ଶୁଣି କର୍ମଚାରୀ ଜଣକ ତୁରନ୍ତ ସେମାନଙ୍କୁ ଚିହ୍ନିଥିବା କହିଥିଲେ। ଏହି ଘଟଣା ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା ବୋଲି ରାହୁଲ କହିଥିଲେ।

କାହାଣୀର ଆଉ ଏକ ମଜାଦାର ଦିଗ ଥିଲା ରେଷ୍ଟୁରାଣ୍ଟର ଖାଦ୍ୟ। କର୍ମଚାରୀଙ୍କ ପରାମର୍ଶରେ ରାହୁଲ ଓ ତାଙ୍କ ଗର୍ଲଫ୍ରେଣ୍ଡ ଚିକେନ୍ ଡିସ୍ ଅର୍ଡର କରିଥିଲେ। ହେଲେ ଖାଦ୍ୟ ତାଙ୍କୁ ଆଦୌ ପସନ୍ଦ ଆସିନଥିଲା। ଏହାକୁ ନେଇ ରାହୁଲ ମଜା କରି କହିଥିଲେ, ପ୍ରେମରେ ପଡ଼ିବାକୁ ହେଲେ ଭର୍ସିଟି ରେଷ୍ଟୁରାଣ୍ଟକୁ ଯାଆନ୍ତୁ, କିନ୍ତୁ ସେଠାରେ ଚିକେନ୍ ଖାଆନ୍ତୁ ନାହିଁ। ତାଙ୍କ ବାପାମା’ଙ୍କୁ ସେଠାକାର ଖାଦ୍ୟ ଭଲ ଲାଗିଥିବା ସ୍ମୃତି ଥିଲେ ମଧ୍ୟ ନିଜ ଅନୁଭୂତି ଭିନ୍ନ ଥିଲା ବୋଲି ସେ ହସି ହସି କହିଥିଲେ।

ସୋନିଆ ଗାନ୍ଧୀ ନିଜ ପୁସ୍ତକରେ ଲେଖିଛନ୍ତି ଯେ ୧୯୬୫ ମସିହାରେ କେମ୍ବ୍ରିଜ୍‌ର ଏହି ଗ୍ରୀକ୍ ରେଷ୍ଟୁରାଣ୍ଟରେ ତାଙ୍କର ରାଜୀବ ଗାନ୍ଧୀଙ୍କ ସହ ପ୍ରଥମ ସାକ୍ଷାତ ହୋଇଥିଲା। ଜଣେ ସାଧାରଣ ପରିଚିତ ବନ୍ଧୁଙ୍କ ମାଧ୍ୟମରେ ଦୁହେଁ ପରସ୍ପରକୁ ଭେଟିଥିଲେ। ପରେ ସେମାନଙ୍କ ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା ଏବଂ ୧୯୬୮ ଫେବ୍ରୁଆରି ୨୫ରେ ଦୁହେଁ ବିବାହ କରିଥିଲେ।